ଶିଳ୍ପପାଇଁ ଅଦିବାସୀଙ୍କୁ ବଳୀ

FILE PHOTO

(ଦ କୁଇଭର): ବିକାଶ ନାଁରେ ବିନାଶ କରୁଛନ୍ତି ଶିଳ୍ପ ସଂସ୍ଥା । ଖାଦ୍ୟରେ ବିଶାକ୍ତ ଧୂଳି, ନିଶ୍ୱାସରେ ଜହର । ଆଉ ପାଣି ସମସ୍ୟା କଥା ତ ନକହିଲେ ଭଲ । ଏମିତି ବଞ୍ଚୁଛନ୍ତି, ଶିଳ୍ପ ପାଇଁ ଜମି ଦେଇଥିବା ନିରୀହ ପାହାଡ଼ି ଆଦିବାସୀ ଲୋକମାନେ । ପ୍ରକୃତି ଭରା ପାହାଡ଼ ପର୍ବତ ଅଞ୍ଚଳରେ, ଶିଳ୍ପସଂସ୍ଥାର ପ୍ରଦୂଷଣ ପାହାଡ଼ି ଜନଜାତିଙ୍କ ଜୀବନକାଳ ବି କମାଇ ଦେଉଛି । ଶିଳ୍ପସଂସ୍ଥାମାନେ ନିଜେ ମୁନାଫା ତ ନେଉଛନ୍ତି, ହେଲେ ଭିଟା ମାଟିରେ ରହୁଥିବା ଲୋକଙ୍କୁ ମରଣ ମୁହଁକୁ ଠେଲିଦେଉଛନ୍ତି । ଇଏ ହେଉଛି ଶିଳ୍ପାୟନର ପରିଣାମ । ମୋଟାମୋଟି ଭାବେ କହିବାକୁ ଗଲେ ଲୋକଙ୍କ ଜୀବନ ନେଉଛନ୍ତି ଏଭଳି ଶିଳ୍ପସଂସ୍ଥା ।

ଆମେ କହୁଛୁ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଶିଳ୍ପାଞ୍ଚଳ କଥା । ଏଠି ଶିଳ୍ପ ସଂସ୍ଥାମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ ପରିବେଶକୁ ପ୍ରଦୂଷଣ କରିବା ସହ ଲୋକଙ୍କ ଆୟୁଷ କମାଇ ଦେଉଛନ୍ତି । ପ୍ରଦୂଷଣର କିଛି ନିୟମ ଏମାନେ ମାନୁନାହାନ୍ତି । ଯେଉଁଠି ଦେଖିବେ ଖାଲି ଧୂଆଁ, ଧୂଳି ଆଉ ପ୍ରଦୂଷଣ । ଏକଥା ଆମେ ନୁହେଁ, ଏକଥା କହିଛି ବିଧାନସଭା ଗୃହ କମିଟି । ଖଣି ଓ ଶିଳ୍ପାଞ୍ଚଳରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଧାନସଭାର ଏକ ଗୃହ କମିଟି ଏହାର ଯାଞ୍ଚ ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ପରିଦର୍ଶନରେ ଯାଇଥିଲେ । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ତଥା ବଡ଼ବିଲ ତହସିଲ ଅଞ୍ଚଳର ଶ୍ରୀ ଜଗନ୍ନାଥ ଷ୍ଟିଲ, ଆର୍ୟା ଷ୍ଟିଲ, ଶ୍ରୀ ମେଟାଲିକ୍ସ୍ ଲିମିଟେଡ ଓ କେଜେଏସ ଆଲୁୱାଲିଆ ପ୍ଲାଣ୍ଟରେ ହେଉଥିବା ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉକ୍ତ ଖଣିଶିଳ୍ପ ସଂସ୍ଥା ଗୁଡ଼ିକ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ତଦାରଖ କରିଥିଲେ ।

ଆଉ ସେଠି ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲେ, ଅଧିକାଂଶ ଶିଳ୍ପସଂସ୍ଥା ପରିବେଶ ଆଇନକୁ ଆଦୌ ପାଳନ କରୁନାହାନ୍ତି । ଯାହାକୁ ନେଇ ଶିଳ୍ପସଂସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କଡ଼ା ଭାଷାରେ ସମାଲୋଚନା ବି କରିଛି । ହେଲେ ନିଘୋଡ଼ ନିଦ୍ରାରେ ଶୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏ କମିଟି ଉଠାଇବାରେ ସଫଳ ହେବ ତ? ପ୍ରଦୂଷଣକୁ ବନ୍ଦ କରି ପାହାଡ଼ି ଲୋକଙ୍କୁ ମରଣ ମୁହଁରୁ ଉଦ୍ଧାର କରିପାରିବ ତ? ତାହା ଏବେ ବଡ଼ ପ୍ରଶ୍ନ ।

ଶିଳ୍ପ ପ୍ରତିଷ୍ଠା ହେଉଛି ଲୋକଙ୍କର ଭଲ ପାଇଁ । ଶିଳ୍ପ ପ୍ରତିଷ୍ଠା ହେବାପରେ ଲୋକେ ବହୁ ଆଶା ରଖିଥିଲେ, ଭାବିଥିଲେ ଶିଳ୍ପ ପ୍ରତିଷ୍ଠା ପରେ ସ୍ଥାନୀୟ ଲୋକଙ୍କର ଉନ୍ନତି ହେବ । ଲୋକଙ୍କ ଜୀବନ ଧାରଣର ମାନ ବଢିବ । ବ୍ୟବସାୟ ବଢିବ । କିନ୍ତୁ ଏହି ଶିଳ୍ପ ସଂସ୍ଥାମାନେ ଏବେ ସେହି ଲୋକଙ୍କ ମୃତ୍ୟୁର କାରଣ ପାଲଟିଯାଇଛି । ପ୍ରଦୂଷଣର କୌଣସି ନିୟମ ଏମାନେ ମାନୁନାହାନ୍ତି । ଯେଉଁଠି ଦେଖିବ ଖାଲି ଧୂଳି ଆଉ ଧୂଆଁ । ଯାହା ଦ୍ୱାରା ଲୋକଙ୍କର ଆୟୁଶ କମି କମି ଯାଉଛି । ପ୍ରଦୂଷଣ ଏତେ ମାତ୍ରାରେ ବଢିଲାଣି ଯେ, ସ୍ଥାନୀୟ ଲୋକଙ୍କର ଆଖି ଜଳିବା ସହ ଅନେକ ଲୋକଙ୍କର ଶ୍ୱାସ ଜନିତ ସମସ୍ୟା ବି ଦେଖାଯାଉଛି । ଏପରିକି ଲୋକଙ୍କ ଭାତ ହାଣ୍ଡିରେ କଳା ଧୂଆଁ ପଡ଼ୁଛି । ଚାଷ ଜମିରେ ଶିଳ୍ପର ଦୂଷିତ ପାଣି ଯୋଗୁଁ ଲୋକେ ଚାଷ ମଧ୍ୟ କରିପାରୁନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଏକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଛି । ଯାହାର କାମ ହେଉଛି, ନିୟମିତ ପ୍ରଦୂଷଣକୁ ଯାଞ୍ଚ କରିବ ଓ ପ୍ରଦୂଷଣ କିପରି ନ ବଢିବ ସେ ଦିଗରେ କାର୍ଯ୍ୟ କରିବ । ଦରକାର ପଡ଼ିଲେ କାର୍ଯ୍ୟନୁଷ୍ଠାନ ମଧ୍ୟ ନେବ । କିନ୍ତୁ ଏ ଦୃଶ୍ୟରୁ ସ୍ପଷ୍ଟ ହେଉଛି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଶିଳ୍ପ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି । ପ୍ରଦୂଷଣର ନିୟମର ଧଜ୍ଜିଆ ଉଡ଼ାଉଥିବା ଏହି ଶିଳ୍ପସଂସ୍ଥାମାନଙ୍କ ଉପରେ ପ୍ରଦୂଷଣ ବୋର୍ଡ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତେଣୁ ବିଧାନସଭା କମିଟିର ଏହି ତଥ୍ୟକୁ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେ ଗୁରୁତ୍ୱର ସହ ନେବ, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *