କ’ଣ ପାଇଁ ଏମାନେ ମନ୍ତ୍ରୀ ?

ଭୁବନେଶ୍ୱର (ଦ କୁଇଭର): ଆମ ରାଜ୍ୟର ମନ୍ତ୍ରୀମାନେ ବାସ୍ତବରେ ମନ୍ତ୍ରୀ ତ ନା ରବର ଷ୍ଟାମ୍ପ? ସେମାନେ ତାଙ୍କ ଦାୟିତ୍ୱକୁ ଅଫିସରମାନଙ୍କୁ ହସ୍ତାନ୍ତର କରିଦେଇଛନ୍ତି କି? କାରଣ ରାଜ୍ୟରେ ଯେତେବେଳେ ବିଭାଗୀୟ ସମସ୍ୟା ଆସୁଛି, କେତେବେଳେ ମନ୍ତ୍ରୀମାନଙ୍କର ଦେଖା ମିଳୁନି । ଏଠି ପ୍ରଶ୍ନ ଆସୁଛି, ସମ୍ବିଧାନର ଶପଥ ନେଇଥିବା ଏହି ମନ୍ତ୍ରୀମାନଙ୍କର ଦାୟିତ୍ୱ କ’ଣ? କ’ଣ ପାଇଁ ସେମାନେ ମନ୍ତ୍ରୀ ହୋଇଥିଲେ? କ’ଣ ମନ୍ତ୍ରୀ ହୋଇଥିଲେ ଦଳର ସେବା କରିବାକୁ ନା ଦଳୀୟ କାର୍ଯ୍ୟକ୍ରମ କରିବାକୁ । ରାଜ୍ୟ ଶାସନକୁ ଚୂଲିକୁ ଠେଲିଦେଇ ଏଭଳି କାର୍ଯ୍ୟ କରିବାକୁ? ଓଡ଼ିଶାରେ ମନ୍ତ୍ରୀମାନଙ୍କର ଅକର୍ମାପଣକୁ ଆମେ ଏଠି ଦେଖାଉଛୁ ।

ପ୍ରଥମେ ଆଲୋଚନା କରିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା । ନିକଟରେ ସରିଛି ବିଧାନସଭାର ଶୀତ ଅଧିବେଶନ । ବିଧାନସଭାର ପ୍ରଥମ ଦିନରେ ଗୃହରେ ଆଗତ ହୋଇଥିଲା ୨୦୨୨-୨୩ ଅତିରିକ୍ତ ଆର୍ଥିକ ବଜେଟ୍ । ହେଲେ ଗୃହରେ ଉପସ୍ଥିତ ନଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅବଶ୍ୟ ସେତେବେଳେ ପଦ୍ମପୁର ଉପନିର୍ବାଚନ ଥିଲା । ମନ୍ତ୍ରୀମାନେ ବିଧାନସଭା ଛାଡ଼ି ପଦ୍ମପୁରରେ କ୍ୟାମ୍ପ କରିଥିଲେ । ନିଜର ସାମ୍ବିଧାନିକ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଗୋଡରେ ଆଡେଇ ଦେଇ ଦଳୀୟ କାର୍ଯ୍ୟକ୍ରମରେ ମାତିଥିଲେ । ଠିକ୍ ଅଛି ଉପନିର୍ବାଚନ ଥିଲା, ସେଥିପାଇଁ ତାଙ୍କ ଦଳ ପାଇଁ ସେ ପ୍ରଚାର କଲେ । ଆମେ ସେ ଦିଗକୁ ଯାଉନାହୁଁ । କିନ୍ତୁ ସାମ୍ବିଧାନିକ ଦାୟିତ୍ୱକୁ ଭୂଲିଯିବା ଉଚିତ୍ କି? ଏମାନଙ୍କୁ ଯୋଗ୍ୟ ମନ୍ତ୍ରୀ ବୋଲି କୁହାଯିବ କି ?

ଦ୍ୱିତୀୟରେ ଆସିବା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖକୁ । ରାଜ୍ୟରେ ସ୍ୱାସ୍ଥାବସ୍ଥାର ବିକଳ ଚିତ୍ର ନ କହିଲେ ଭଲ । ନମ୍ବର ୱାନ୍ ରାଜ୍ୟରେ ଏବେ ବି ଖଟିଆରେ ବୁହା ହେଉଛନ୍ତି ରୋଗୀ । ଆଉ ବିଶ୍ୱସ୍ତରୀୟ କଟକ ବଡ଼ ମେଡ଼ିକାଲରେ ରୋଗୀ କାନ୍ଧରେ ଆଉ ସିଲିଣ୍ଡର ଯାଉଛି ଷ୍ଟ୍ରେଚରରେ । ଏତେ ସବୁ ପରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୁହଁ ଖୋଲୁନାହାନ୍ତି । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ । ରାଜଧାନୀର ରାଜରାସ୍ତାରେ ଗୁରୁମାନେ ଗର୍ଜନ କଲେ । ରାଜଧାନୀ ହୁଲୁସ୍ତୁଲୁ ହେଲା । ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କର ଦେଖା ଦର୍ଶନ ନାହିଁ । ସେ ଯାଇ ପଦ୍ମପୁରରେ ଦଳୀୟ ପ୍ରର୍ଥୀଙ୍କ ପାଇଁ ଭୋଟ୍ ମାଗୁଥିଲେ ।

ସେହିପରି ଯଦି ଦେଖିବା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଓଡ଼ିଶାକୁ ହୁଲୁସ୍ତୁଲୁ କରିଦେଇଥିଲା । ଶେଷରେ ସୁପ୍ରିମକୋର୍ଟ ମଧ୍ୟ ଭର୍ସନା କଲେ । ଓକିଲମାନେ ଗିରଫ ହେଲେ । ଏତେ ସବୁ ହୋଇଗଲା, ହେଲେ ଆମ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କର ଦେଖା ମିଳିଲାନି । ଧନ୍ୟ ଏ ସରକାର ଓ ଧନ୍ୟ ତାଙ୍କ ମନ୍ତ୍ରୀ ମଣ୍ଡଳ । ଯଦି ଅସଲ ସମୟରେ ମନ୍ତ୍ରୀମାନେ ଦେଖାଦେଉନାହାନ୍ତି, ତାହେଲେ ଏମାନେ ମନ୍ତ୍ରୀ ଭାବେ ରହି କେତେ ବିଭାଗୀୟ ଦାୟିତ୍ୱ ସମ୍ଭାଳୁଛନ୍ତି, ତାହା ରାଜ୍ୟବାସୀ ବିଚାର କରନ୍ତୁ ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *