FILE PHOTO

କେନ୍ଦୁଝର (ଦ କୁଇଭର): ଚାଷରେ ବିଷ ମିଶାଉଛନ୍ତି ଘରୋଇ କମ୍ପାନୀ । ଚାଷକୁ ମାରିଦେଉଛନ୍ତି । ଚାଷରେ ଏମିତି ବିଷ ମିଶାଉଛନ୍ତି ଯେ, ଚାଷୀ ତଳିତଳାନ୍ତ ହୋଇଯାଉଛି । ଯାହା ବି ଉତ୍ପାଦନ ହେଉଛି, ତାହାକୁ ଖାଇଲେ ନାନା ରୋଗ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଚାଷକୁ ଯେତିକି ଚାଷକୁ ପ୍ରଭାବିତ କରୁନି, ତାଠୁ ଅଧିକ ଶିଳ୍ପମାନଙ୍କର ପ୍ରଦୂଷିତ ଜଳ ଚାଷ ଜମିରେ ଜହର ଖେଳାଇ ଦେଉଛି । ଯାହାର ଫଳ ଭୋଗୁଛନ୍ତି ନିରୀହ ପାହାଡି ଆଦିବାସୀ । ଚାଷ ଜମିରେ ବିଷ ଦେଇ ଏମାନେ ମାରିଦେବାକୁ ପଛାଉନାହାନ୍ତି । ଏକଥା ଆମେ ନୁହେଁ, କେନ୍ଦୁଝର ଶିଳ୍ପାଞ୍ଚଳର ଲୋକେ କହୁଛନ୍ତି । ଶିଳ୍ପର ବିକାଶ କହି କହି କମ୍ପାନୀମାନେ ଚାଷ ଜମିରେ ବିଷ ମଡ଼ାଇଦେଲେଣି । ଚାଷୀ ଚାହିଁଲେ ବି ଆଉ ଚାଷ କରିପାରୁନାହାନ୍ତି । ଆଉ ଯଦି ଚାଷ କରୁଛି, ଶେଷରେ ସେହି ଜହର ଲୋକଙ୍କ ମୃତ୍ୟୁର କାରଣ ପାଲଟି ଯାଉଛି ।

କେନ୍ଦୁଝରର ଅଞ୍ଚଳ ଶିଳ୍ପ ପାଇଁ ଯେତିକି ପ୍ରସିଦ୍ଧ, ପ୍ରଦୂଷଣ ପାଇଁ ସେତିକି ବଦନାମ୍ ମଧ୍ୟ । ଏଠି ଥିବା ଶିଳ୍ପ ସଂସ୍ଥାମାନେ ଖାଲି ବାୟୁମଣ୍ଡଳ ବା ଜଳକୁ ପ୍ରଦୂଷିତ କରୁନାହାନ୍ତି, ଚାଷ ଜମିରେ ଏମାନେ ଜହର ଖେଳାଇ ଦେଉଛନ୍ତି । ଯାହାର ଶିକାର ହେଉଛନ୍ତି ଶିଳ୍ପକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ଆଦିବାସୀମାନେ । ସେମାନଙ୍କୁ ଏହି ଶିଳ୍ପ ସଂସ୍ଥାମାନେ ଏକପ୍ରକାର ମରଣମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଏମାନେ କାଣିଚାଏ ବି ଖାତିର କରୁନାହାନ୍ତି । ନିକଟରେ ବିଧାନସଭାର ଏକ ଗୃହ କମିଟି ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ସେମାନଙ୍କ ପାଖରେ ଏଭଳି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ପ୍ରଦୂଷଣ ଏତେ ମାତ୍ରାରେ ବଢିଲାଣି ଯେ, ଲୋକଙ୍କ ଭାତ ହାଣ୍ଡିରେ ବି ଧୂଳି ପଡ଼ୁଛି । ଲୋକେ ନିଶ୍ୱାସ ନେଇପାରୁନାହାନ୍ତି । ବଞ୍ଚିବା ଏକପ୍ରକାର କଷ୍ଟକର ହୋଇପଡ଼ିଲାଣି । ଏପରିକି ଚାଷ ଜମିରେ ଶିଳ୍ପସଂସ୍ଥା ମାନେ ଏପରି ଦୂଷିତ ପାଣି ଛାଡ଼ୁଛନ୍ତି ଯେ, ଚାହିଁଲେ ବି ଲୋକେ ଚାଷ କରିପାରୁନାହାନ୍ତି । ଚାଷ ହେଲେ ଯାହା ଉତ୍ପାଦନ ହେଉଛି, ତାହାକୁ ଖାଇଲେ ବିଭିନ୍ନ ରୋଗ ବାହାରୁଛି । ଏଥିପ୍ରତି ନା ସରକାର ଦୃଷ୍ଟି ଦେଉଛନ୍ତି ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେହି ଏହି ପ୍ରଦୂଷଣକୁ ରୋକିବାକୁ ଚେଷ୍ଟା କରୁନାହାନ୍ତି କି ଏପରି ଆଦିବାସୀଙ୍କୁ ମରଣ ମୁହଁରୁ ବଞ୍ଚାଇବାକୁ ଚେଷ୍ଟା କରୁନାହାନ୍ତି । ଅନେକ ଥର ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଦେଖାଯାଉ ବିଧାନସଭା କମିଟି ଯାଞ୍ଚ ପରେ ସରକାର ଏଥିପ୍ରତି କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଆଉ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଦ ଭାଙ୍ଗୁଛି କି ନାହିଁ ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *