ଚପିଯାଉଛି କି ନେତାଙ୍କ କାରନାମା ?

FILE PHOTO

(ଦ କୁଇଭର): ନେତାଙ୍କ କଳାକାରନାମା ଚପିଯାଉଛି ନା ଚାପିଦିଆଯାଉଛି ? ଏମାନଙ୍କ କେଳଙ୍କାରୀ ଚାପିବା ପାଇଁ ମୁଣ୍ଡ ପରେ ମୁଣ୍ଡ ଗଡ଼ାଯାଉଛି କି ? ନେତାଙ୍କୁ କ୍ଲିନଚିଟ୍ ଦେବା ପାଇଁ ଅଭିଯୁକ୍ତଙ୍କୁ ବାଟରୁ ହଟାଇଦିଆଯାଉଛି କି ? ଏମିତି ଅନେକ ପ୍ରଶ୍ନ ଏବେ ଘୁରି ବୁଲୁଛି, ହେଲେ ଉତ୍ତର ବହୁତ କମ୍ ପ୍ରଶ୍ନରୁ ମିଳୁଛି । ଲୋକଙ୍କ ମନରେ ପ୍ରଶ୍ନ ବଢି ବଢି ଚାଲିଛି । ଯାହା ନା ରାଜନେତାଙ୍କ ପାଇଁ ଭଲ ନା ବ୍ୟବସ୍ଥା ପାଇଁ ଭଲ । ଅବଶ୍ୟ ଏବେକାର ଅଧିକାଂଶ ଭୋଟର ସାମାଜିକ ସ୍ଥିତି ବା ସରକାରୀ ସ୍ଥିତି ବିଷୟରେ ବୁଝନ୍ତିନ୍ତି ।

କେବଳ ପ୍ରଭାବିତ ହୋେଇ ଭୋଟ୍ ଦିଅନ୍ତି । କିନ୍ତୁ କିଛି ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନେ ଏହାକୁ ଗୁରୁତର ସହ ନେଇପାରନ୍ତି । ରାଜ୍ୟରେ ଘଟିଥିବା ଏମିତି ଅନେକ ହାଇପ୍ରୋଫାଇଲ କେଶକୁ ଉପସ୍ଥାପନ କରୁଛୁ । ଯେଉଁ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଆଉ ଏହି ସବୁ ମାମଲାରେ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ତେଣୁ ଏମାନଙ୍କ ପାଇଁ ଅଭିଯୁକ୍ତଙ୍କ ଜୀବନ ଯାଉନି ତ? ନେତାମାନଙ୍କୁ ବଞ୍ଚାଇବା ପାଇଁ ଏଭଳି ଷଡ଼ଯନ୍ତ୍ର ହେଉନି ତ ?

ପ୍ରଥମେ ଆସିବା ମାହାଙ୍ଗା ଡବଲ ମର୍ଡର ଘଟଣା ଉପରକୁ । ଗତବର୍ଷ ବେଶ୍ ଚର୍ଚ୍ଚାରେ ଥିଲା ଏହି ଡବଲ ମର୍ଡର ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଖବର ମଧ୍ୟ ଏହି ଘଟଣାକୁ ଆହୁରି ବିବାଦୀୟ କରିଥିଲା । କଟକ ଟାଙ୍ଗୀ ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବେଶ୍ ବିବାଦୀୟ ଥିଲେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ନା ମଧ୍ୟ ଏଫଆଇଆରରେ ଥିଲା । ହେଲେ ପୋଲିସ ତାଙ୍କ ପାଖ ମାଡ଼ିପାରିନଥିଲା ।

ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଏହି ମାମଲା ସତେ ଯେମିତି କୁଆଡେ ଉଭେଇଗଲା । ସେହିପରି କିଛି ଦିନ ତଳେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଭୁବନେଶ୍ୱରରେ ଆତ୍ମହତ୍ୟା କରିଥିଲେ । ଆଉ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଧର୍ମେନ୍ଦ୍ର ସାହୁଙ୍କର ଭଲ ସମ୍ପର୍କ କାଳେ ଥିଲା । ତେବେ ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସୋସିଆଲେ ମିଡିଆରେ ସେ ଅନେକ କିଛି କଥା ଲେଖିଥିଲେ । ତେଣୁ ତାଙ୍କ ମୃତ୍ୟୁ ପଛରେ ସମୀର ରଞ୍ଜନ ଦାସଙ୍କର ହାତ ଥିଲା ବୋଲି ଅଭିଯୋଗ ହେଲା । ଏହାକୁ ନେଇ ବହୁ ତୁମ୍ବିତୋଫାନ ମଧ୍ୟ ହେଲା । କିନ୍ତୁ ସେ କାହିଁକି ଆତ୍ମହତ୍ୟା କଲେ, ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଏବେ ବି ସନ୍ଦେହରେ । ଏହି ମାମଲା ମଧ୍ୟ ଧୀରେ ଧୀରେ ଚପିଗଲା ।

ଏବେ ଆସିବା ବଲାଙ୍ଗୀରର ମମିତା ମେହେର ହତ୍ୟା ଘଟଣା ଉପରକୁ । ଏହି ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ନିକଟରେ ଆତ୍ମହତ୍ୟା କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଛନ୍ତି । କିଛି ମାସ ତଳେ ମମିତା ମେହେର ହତ୍ୟା ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଏହି ମାମଲାରେ ତତକାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବେଶ୍ ବିବାଦୀୟ ହୋଇଥିଲେ । ତାଙ୍କୁ ସରକାର ଘଣ୍ଟ ତ ଘୋଡ଼ାଇଥିଲେ ହେଲେ, ଶେଷରେ ମନ୍ତ୍ରୀ ମଣ୍ଡଳରୁ ବିଦା କରିଥିଲେ । ଏବେ ଗୋବିନ୍ଦଙ୍କ ମୃତ୍ୟୁ ପରେ କଏହି ମାମଲା ଆଇନଗତ ଦୃଷ୍ଟିକୋଣରୁ ବନ୍ଦ ହୋଇଯାଇଛି ।

ଅନ୍ୟପଟେ ଦେଖିଲେ ନବଦାସଙ୍କ ସର୍ଭେଣ୍ଟ କ୍ୱାଟରରେ ରୋଷେୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିବାଦକୁ ଆସିଥିଲେ ନବ ଦାସ । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛନ୍ତି, ତାହା ବି ସନ୍ଦେହରେ । ଏହି ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିଲେ ମଧ୍ୟ ତାହା ମଧ୍ୟ କୁଆଡ଼େ ଉଭେଇଗଲା । ସେହିପରି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ବେଶ୍ ବିବାଦ ଘେରକୁ ଆସିଥିଲେ ସଞ୍ଜୟ ଦାସବର୍ମା । ଏପରି ଅନେକ ଘଟଣାରେ ଅନେକ ନେତା, ମନ୍ତ୍ରୀ ବିବାଦ ଘେରକୁ ଆସିଛନ୍ତି । ହେଲେ ପୋଲିସ ସେମାନଙ୍କ ପାଖ ମାଡ଼ିପାରିନଥିଲା । ତେଣୁ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏଭଳି ହାଇପ୍ରୋଫାଇଲ କେଶରେ ଅଭିଯୁକ୍ତମାନେ ଏପରି କିପରି ମରିଯାଉଛନ୍ତି ? ନା ତାଙ୍କ ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ଅଛି ? ନା ଏହିସବୁ ଚର୍ଚ୍ଚିତ ମାମଲାରେ ନେତା, ମନ୍ତ୍ରୀମାନଙ୍କର ସମ୍ପୃକ୍ତି ଥିବା ଯୋଗୁଁ ଏହାକୁ ଚାପିବା ପାଇଁ ଏଭଳି ଯୋଜନା କରାଯାଇଛି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

Leave a Reply

Your email address will not be published. Required fields are marked *