ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର: ସୁରକ୍ଷା ନୁହେଁ ଷଡ଼ଯନ୍ତ୍ର କରିଥିଲେ ପଞ୍ଜାବ ସରକାର

(ଦ କୁଇଭର): ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ସୁରକ୍ଷା ନୁହେଁ ଷଡ଼ଯନ୍ତ୍ର କରିଥିଲେ ପଞ୍ଜାବ ସରକାର । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ କରାଯାଇଥିଲା ଷଡ଼ଯନ୍ତ୍ର । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ଏଥିରେ ଉଭୟ ଚନ୍ନି ସରକାର ଓ କଂଗ୍ରେସ ସୁପରିକଳ୍ପିତ ଷଡ଼ଯନ୍ତ୍ର କରିଥିଲେ । ଷ୍ଟିଙ୍ଗ ଅପରେସନ ପରେ ଏହି ସନ୍ଦେହ ଆହୁରି ସ୍ପଷ୍ଟ ହୋଇଥିବା ସେ କହିଛନ୍ତି ।

ଏକ ଗଣମାଧ୍ୟମ ଚ୍ୟାନେଲ୍ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ଏହା ସ୍ୱଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ଯେଉଁ ଅଞ୍ଚଳରେ ଅଟକିଥିଲା ସେଠାରେ ଚାଷୀଙ୍କ ବିକ୍ଷୋଭ ହେବାର ପୂର୍ବରୁ ପୋଲିସ ପାଖରେ ଖବର ଥିଲା । ଏହି ଖବର ପଞ୍ଜାବର ବଡ଼ ବଡ଼ ଅଧିକାରୀମାନେ ମଧ୍ୟ ଜାଣିଥିଲେ । କିନ୍ତୁ ସମସ୍ତେ ସବୁ ଜାଣି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଗଲା ନାହିଁ । ଏହାସହ ସେ କହିଛନ୍ତି, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିଥିଲା ସେଠାରୁ ପାକିସ୍ତାନ ସୀମା ମାତ୍ର ୧୦ କିଲୋମିଟର ଦୂର ଥିଲା । ଏବଂ ସେଠାରୁ ଅତି ସହଜରେ ଶତ୍ରୁ ଦେଶରୁ ଅସ୍ତ୍ରଶସ୍ତ୍ର, ଗ୍ରେନେଡ଼ ଓ ମିସାଇଲ ଆସିପାରୁ ଥିଲା। ତେଣୁ ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କାହିଁକି କଡ଼ାକଡ଼ି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ ।

ସବୁଠାରୁ ବଡ଼ କଥା ହେଉଛି, କାରକେଡ଼ ଅଟକିବା ସ୍ତାନରେ ଚାଷୀ ନୁହେଁ ଖଲିସ୍ତାନୀ ସମର୍ଥକମାନେ ଆନ୍ଦୋଳନ କରୁଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ଅଟକିବା ପ୍ରସଙ୍ଗରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଚନ୍ନି ସରକାର କଂଗ୍ରେସର ହାଇ କମାଣ୍ଡଙ୍କ ସହ ଆଲୋଚନା କରିଥିଲେ । ଏଭଳି ସମ୍ବେଦଳଶୀଳ ପ୍ରସଙ୍ଗକୁ କିପରି ଦଳୀୟ ଫୋରମରେ ଆଲୋଚନା କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ । ଏହାସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏୟାରପୋର୍ଟ ଆସିନଥିଲେ । କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କହି ସଫେଇ ଦେଇଥିଲେ । କିନ୍ତୁ ତା ପରଦିନ କିପରି ଚନ୍ନି ସାମ୍ବାଦିକ ସମ୍ମିଳନୀ କଲେ ବୋଲି ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଏହି ସମସ୍ତ କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି ଯେ, ସୁରକ୍ଷା ନୁହଁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ଚନ୍ନି ସରକାର । ତେବେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ବୟାନକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *