ଏଠାରେ ରହନ୍ତି କୋଟିପତି ପାରା: ପାରାଙ୍କ ନାଁରେ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି

(ଦ କୁଇଭର): କୋଟିପତି ପାରା । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ସତ । ଏମିତି ଏକ ଗାଁ ଅଛି ଯେଉଁଠି ରୁହନ୍ତି କୋଟିପତି ପାରା । କିଛି ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଓ ସମ୍ପତି ରହିଥିବା କଥା ଆପଣ ଶୁଣିଥିବେ । ଲୋକମାନେ କୋଟିପତି ହେବା ପାଇଁ ଅନେକ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ପାରା ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା କଥା କେବେ ଶୁଣି ନଥିବେ । କିନ୍ତୁ ଏବେ ଆପଣଙ୍କୁ ଆଜି ଏମିତି ଏକ ଗାଁ କଥା କହିବାକୁ ଯାଉଛୁ ଯେଉଁଠି ରୁହନ୍ତି କୋଟିପତି ପାରା ।

ରାଜସ୍ଥାନର ନାଗୋର ଜିଲ୍ଲାରେ ଏମିତି ଏକ ଗାଁ ହେଉଛି ଜସନଗର । ଯେଉଁଠି ରୁହନ୍ତି କୋଟିପତି ପାରା । ଏଠାରେ ପାରାଙ୍କ ନାଁରେ ୨୭ଟି ଦୋକାନ, ୧୨୬ ବିଘା ଜମି ଓ ବ୍ୟାଙ୍କ ଆକାଉଣ୍ଟରେ ରହିଛି ୩୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ ପାରାଙ୍କ ୧୦ ବିଘା ଜମିରେ ୪୭୦ଟି ଗାଇଙ୍କ ପାଇଁ ଗୋଷାଳା ମଧ୍ୟ ରହିଛି। ଠିକ୍ ୪୦ ବର୍ଷ ପୂର୍ବେ ଗାଁର ପୂର୍ବତନ ସରପଞ୍ଚ ରାମଦ୍ଦିନ ଛୋଟିଆଙ୍କ ନିର୍ଦ୍ଦେଶ କ୍ରମେ ଓ ନିଜ ଗୁରୁ ମାରୁଧର କେଶରୀଙ୍କ ଠାରୁ ପ୍ରେରଣା ନେଇ ଗ୍ରାମବାସୀଙ୍କ ସହଯୋଗରେ ପ୍ରବାସୀ ଶିଳ୍ପପତି ସ୍ୱର୍ଗୀୟ ସଜ୍ଜନ ରାଜ ଜୈନ ଏବଂ ପ୍ରଭୂସିଂହ ରାଜପୁରୋହିତ ପ୍ରତିଷ୍ଠା କରିଥିଲେ କାବୁଆନ୍ ଟ୍ରଷ୍ଟ ।

ପାରାମାନଙ୍କ ସୁରକ୍ଷା ତଥା ନିୟମିତ ଦାନା ପାଣି ଯୋଗାଇବା ପାଇଁ ସହରରେ ୨୭ଟି ଦୋକାନ ନିର୍ମାଣ କରି ପାରାଙ୍କ ନାଁରେ ସେହି ଦୋକାନକୁ ନାମିତ କରିଥିଲେ । ବର୍ତ୍ତମାନ ଏହି ରୋଜଗାର ସହିତ ଟ୍ରଷ୍ଟ ଗତ ୩୦ ବର୍ଷ ଧରି ଦୈନିକ ୩ ଅଖା ଖାଦ୍ୟଶସ୍ୟ ଦେଉଛି । ଏହି ଟ୍ରଷ୍ଟ ଦ୍ୱାରା ପ୍ରତିଦିନ ୪ ହଜାର ଟଙ୍କାରେ ୩ ଅଖା ଧାନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଟ୍ରଷ୍ଟ ଦ୍ୱାରା ସଂଚାଳିତ ଗୋଶାଳରେ ମଧ୍ୟ ୪୭୦ ଗାଇମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ । ଏବଂ ପାରାଙ୍କ ନାଁରେ ନାମିତ ହୋଇଥିବା ଦୋକାନରୁ ଭଡ଼ା ଆକାରରେ ମାସିକ ପ୍ରାୟ ୮୦ ହଜାର ଟଙ୍କା ଆୟ କରାଯାଇଥାଏ । ଏହାସହ ୧୨୬ ବିଘା ଅସ୍ଥାବର କୃଷି ଉପଯୋଗୀ ଜମି ମଧ୍ୟ ରହିଛି । ଆୟ ହେଉଥିବା ଟଙ୍କାରେ ପାରାମାନଙ୍କ ସୁରକ୍ଷା ପରେ ଯାହା ବଳିପଡ଼େ ତାକୁ ଗାଁର ଏକ ବ୍ୟାଙ୍କରେ ଜମା କରାଯାଏ । ଯାହା ବର୍ତ୍ତମାନ ୩୦ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ।

ଲୋକଙ୍କ ଦାନ ଦ୍ୱାରା ଚାଲୁଛି ଏହି ଟ୍ରଷ୍ଟ । ଜସନଗର ପାରାଙ୍କ ପାଇଁ ଲୋକମାନେ ଦାନ ମଧ୍ୟ କରିଥାନ୍ତି । ପାରାଙ୍କ ନାଁରେ ଖୋଲାଯାଇଥିବା ୨୭ଟି ଦୋକାନରୁ ବାର୍ଷିିକ ପ୍ରାୟ ୯ ଲକ୍ଷ ଟଙ୍କା ଆୟ କରାଯାଉଛି ।

Leave a Reply

Your email address will not be published. Required fields are marked *