ଡିଜିଟାଇଜ୍ ହେଉଛି ଓଡ଼ିଶା: ଏବେ ବି ଏତିକି ଗାଁରେ ନାହିଁ ମୋବାଇଲ ସଂଯୋଗ ?

(ଦ କୁଇଭର): ବିଶ୍ୱ ଦରବାରରେ ରହିଛି ଓଡ଼ିଶାର ନାଁ । ବହୁ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ବି ହେଉଛି । କେବଳ ଓଡ଼ିଶା ନୁହେଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନମ୍ବର ୱାନ୍ । ୨୨ ବର୍ଷ ଶାସନ କରି ନବୀନ ରଚିଛନ୍ତି ନୂଆ ଇତିହାସ । କିନ୍ତୁ ୨୨ ବର୍ଷରେ ଏମିତି କିଛି କ୍ଷେତ୍ର ଅଛି, ଯେଉଁ କ୍ଷେତ୍ର ୨୨ ବର୍ଷ ତଳେ ଯେପରି ଥିଲା, ଆଜି ବି ସେମିତି ଅଛି । ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀଙ୍କ ଶାସିତ ରାଜ୍ୟରେ ଏବେ ବି ଅନେକ କ୍ଷେତ୍ର ପଛରେ ରହିଯାଇଛି ।

ଡିଜିଟାଲ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପଛରେ ନଥିବା କହି ଡିଣ୍ଡିମ ପିଟୁଛନ୍ତି ଓଡ଼ିଶା ସରକାର । କିନ୍ତୁ ଏହାର ସତ୍ୟତା ସାମ୍ନାକୁ ଆଣିଛି ଏହି ସର୍ଭେ ରିପୋର୍ଟ । ମୋବାଇଲ ସଂଯୋଗ ନ ଥିବା ଗାଁ ସର୍ଭେରେ ଭାରତରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଜାତୀୟ ଗଣମାଧ୍ୟମ ‘ବିଜନେସ ଟୁଡେ’ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ଖୁଲାସା ହୋଇଛି । ସରକାର ଓଡ଼ିଶାରେ ଡିଜିଟାଇଜ୍ କରିବାକୁ ଯୋଜାନା ପରେ ଯୋଜନା କରୁଛନ୍ତି । ପିଲାଙ୍କୁ ଡିଜିଟାଲ ଶିକ୍ଷା ଦେବାପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଅଭିଯାନ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓଡ଼ିଶାର ଏବେ ବି ୬ ହଜାର ୯୯ ଗାଁରେ ନାହିଁ ମୋବାଇଲ ସଂଯୋଗ । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଓଡ଼ିଶାରେ ଡିଜିଟାଲ ଶିକ୍ଷା, ଡିଜିଟାଇଜ୍ ପ୍ରକଳ୍ପ କେତେ ମାତ୍ରାରେ ସଫଳ ହୋଇଛି ।

ଜାତୀୟ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଇଥିବା ସର୍ଭେରେ ଲାକ୍ଷାଦ୍ୱୀପ ସବୁଠାରୁ ଉନ୍ନତ ସ୍ତରରେ ରହିଛି । ତା ଉପରକୁ ରହିଛି ଉତ୍ତରପ୍ରଦେଶ । ତା ଉପରକୁ ରହିଛି ସିକ୍କିମ୍ ଓ ଗୋଆ । ମୋବାଇଲ ସଂଯୋଗ ନଥିବା ଗାଁ ଲିଷ୍ଟରେ ସବୁଠାରୁ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା । ଅର୍ଥାତ୍ ଦେଶର ମୋଟ୍ ୨୫ ହଜାର ଗାଁ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୬ହଜାର ୯୯ ଗାଁ ଏପରି ଅଛି, ଯେଉଁଠି ମୋବାଇଲ ବ୍ୟବହାର ସାତ ସପନ । ଏହି ରିପୋର୍ଟ ସରକାରଙ୍କ ଡିଜିଟାଇଜ୍ ସ୍ୱପ୍ନକୁ ପଦାରେ ପକାଇଛି ।

Leave a Reply

Your email address will not be published. Required fields are marked *