ଶ୍ରୀମନ୍ଦିର ଭୋଗମଣ୍ଡପ ଶୀର୍ଷରେ କାହିଁକି ରହିଛି ହଣ୍ଡା ଓ ବାଲ୍ଟି ? ଜାଣନ୍ତୁ ଏହା ପଛର ରହସ୍ୟ…

(ଦ କୁଇଭର): ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ସାଢେ ୪ କୋଟି ଓଡ଼ିଆଙ୍କ ମଉଡ଼ମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ଅନେକ ରହସ୍ୟ ଓ କିମ୍ବଦନ୍ତୀ ରହିଛି । ଯେଉଁ ରହସ୍ୟ ଓ କିମ୍ବଦନ୍ତୀକୁ ଆଜି ପର୍ୟ୍ୟନ୍ତ ବୁଝି ପାରୁନାହାନ୍ତି ଭକ୍ତ କିମ୍ବା ଗବେଷକ ।

ଏମିତି ଏକ ରହସ୍ୟ ଓ କିମ୍ବଦନ୍ତୀ ହେଉଛି ଶ୍ରୀମନ୍ଦିର ଭୋଗମଣ୍ଡପ ଶୀର୍ଷରେ ଥିବା ହଣ୍ଡା ଓ ବାଲ୍ଟିର । କିଏ କହୁଛି ତା ମଧ୍ୟରେ ବହୁ ଦୁର୍ଲଭ ହୀରା, ଲୀଳା ଓ ମାଣିକ ରହିଛି । କିନ୍ତୁ ଏହାକୁ କେହି ଏଯାବତ ଦେଖିନାହାନ୍ତି । ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମୁତାବକ ଏକ କାହାଣୀ ରହିଛି ଏହି ହଣ୍ଡା ଓ ବାଲ୍ଟିର । ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବଙ୍କ ଶାସନ ସମୟରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ଜୋର ଧରିଥିଲା । ବୌଧ ଧର୍ମର ପ୍ରଚାରକଙ୍କ ମୁତାବକ ସେମାନଙ୍କ ଧର୍ମ ହେଉଛି ଶ୍ରେଷ୍ଠ ତେଣୁ ସେମାନଙ୍କୁ ମହାପ୍ରଭୁଙ୍କ ସେବକ ଭାବେ ଗ୍ରହଣ କରାଯାଉ । କିଏ ଶ୍ରେଷ୍ଠ ଜାଣିବାପାଇଁ ତତକାଳୀନ ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବଙ୍କ ନିକଟକୁ ଯାଇଥିଲେ ବୌଧ ପ୍ରଚାରକ ଓ ତାନ୍ତ୍ରିକ ମାନେ । ତେବେ କିଏ ମହାପ୍ରଭୁଙ୍କ ଶ୍ରେଷ୍ଠ ସେବକ ଜାଣିବାପାଇଁ ତତ ସମୟର ଗଜପତି ମହାରାଜ ଏକ ପରୀକ୍ଷା କରିଥିଲେ ।

ଏକ ବଡ଼ ହଣ୍ଡା ମଧ୍ୟରେ ଏକ ସର୍ପ କୁ ରଖି ପ୍ରଶ୍ନ କରିଥିଲେ ଯଦି ସଠିକ ଭାବେ ଯିଏ ଉତ୍ତର ଦେବେ ଏହି ହଣ୍ଡା ମଧ୍ୟରେ କଣ ଅଛି ସେ ହେଉଛି ମହାପ୍ରଭୁଙ୍କ ସେବକ ଭାବେ ସ୍ଥାନ ପାଇବ । ବୌଧ ପ୍ରଚାରକ ଓ ତାନ୍ତ୍ରିକ ମାନେ ଉତ୍ତର ଦେଇଥିଲେ ହଣ୍ଡା ମଧ୍ୟରେ ସର୍ପ ଅଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିରର ସେବାୟତ ଓ ବିଦ୍ୱାନ ମାନେ ମନ୍ତ୍ର ବଳରେ ହଣ୍ଡା ମଧ୍ୟରେ ଥିବା ସର୍ପ କୁ ଭସ୍ମରେ ପରିବର୍ତନ କରିଦେଇଥିଲେ । ଯେତେବେଳେ ହଣ୍ଡା ଦେଖାଯାଇଥିଲା ହଣ୍ଡା ମଧ୍ୟରେ ଭସ୍ମ ଥିଲା । ତେଣୁ କରି ତତକାଳୀନ ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବ ବ୍ରାହ୍ମଣ ଓ ବିଦ୍ୱାନ ମାନଙ୍କୁ ଶ୍ରେଷ୍ଠ ସେବକ ଭାବେ ବିବେଚିତ କରିଥିଲେ । ବିଦ୍ୱାନ ଓ ବ୍ରାହ୍ମଣମାନେ ନିବେଦନ କରିଥିଲେ ଏହି ଘଟଣାର ନିଦର୍ଶନ ସ୍ୱରୂପ ଯୁଗ ଯୁଗ ପର୍ୟ୍ୟନ୍ତ ଭକ୍ତ ଏହାକୁ ମନେରଖିବା ପାଇଁ ଭୋଗ ମଣ୍ଡପର ଶୀର୍ଷରେ ଏହି ହଣ୍ଡାକୁ ସ୍ଥାନ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *