ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

(ଦ କୁଇଭର): ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ଚୁଡାନ୍ତ ହୋଇଛି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ୨ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୁକ୍ରବାର ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଙ୍କ ଗସ୍ତ ବିବରଣୀ ମଧ୍ୟ ସାମ୍ନାକୁ ଆସିଛନ୍ତି ।

ରାଷ୍ଟ୍ରପତି ୧୯ ତାରିଖ ମଧ୍ୟାହ୍ନ ପ୍ରାୟ ୨ଟା ୪୫ ମିନିଟରେ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସେ ହେଲିକେପ୍ଟର ଯୋଗେ ପୁରୀ ଯାଇ ଅପରାହ୍ନ ୩ଟା ୨୫ ମିନିଟରେ ପହଞ୍ଚିବେ। ସେଠାରୁ ସେ ମେ’ ଫେୟାର ହୋଟେଲକୁ ଯାଇ କିଛି ସମୟ ବିଶ୍ରାମ କରିବେ। ରାଷ୍ଟ୍ରପତି ଅପରାହ୍ନ ୫ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଶ୍ରୀମନ୍ଦିରରୁ ବାହାରିବେ । ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ରାତ୍ରୀଯାପନ କରିବେ ।

୨୦ ତାରିଖ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ରାଷ୍ଟ୍ରପତି ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠକୁ ଯାଇ ସେଠାରେ ଶ୍ରୀମଦ୍ ଦ୍ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିବେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଦ୍ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପୁରୀର ଶରଧାବାଲି ଠାରେ ଆୟୋଜିତ ତୃତୀୟ ବାର୍ଷିକ ଅଧିବେଶନରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି । ୨୦ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ରାଷ୍ଟ୍ରପତି ପୁରୀରୁ ଭୁବନେଶ୍ବର ଫେରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *