ଦେଶଦ୍ରୋହୀ କେଜ୍ରିୱାଲ୍ !

(ଦ କୁଇଭର): ଦେଶଦ୍ରୋହୀ କେଜ୍ରିୱାଲ୍! ଖଲିସ୍ତାନଙ୍କ ସହ ମିଶି ଦେଶବିରୋଧୀ କାର୍ଯ୍ୟ କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଖବରକୁ ନେଇ ସରଗରମ ରହିଛି ପଞ୍ଜାବ ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା କୁମାର ବିଶ୍ୱାସ । ତାଙ୍କ କହିବା ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ଖଲିସ୍ତାନମାନଙ୍କୁ ସମର୍ଥନ କରିଆସୁଛନ୍ତି । ଯେତେବେଳେ ମୁଁ ତାଙ୍କ ସହିତ ଥିଲି, ସେ ମୋତେ ତାଙ୍କର ଏହି ଦେଶବିରୋଧୀ ଯୋଜନା ବିଷୟରେ କହିଥିଲେ । ସେ କହିଥିଲେ କି, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି କିମ୍ବା ଏକ ସ୍ୱାଧୀନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବି । ଏହାସହ କୁମାର ବିଶ୍ୱାସ କହିଛନ୍ତି, ବିଚ୍ଛିନ୍ନତାବାଦୀଙ୍କ ସାହଯ୍ୟ ନେବାରେ କେଜ୍ରିୱାଲଙ୍କ ଦ୍ୱିଧା ନାହିଁ ।

ଏହି ବୟାନକୁ ନେଇ ବର୍ତ୍ତମାନ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ସେପଟେ ଏହାର କାଉଣ୍ଟର କରିଛନ୍ତି ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, ସେମାନେ କହିଛନ୍ତି ଯେ, କେଜ୍ରିୱାଲ ଭାରତକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ୧୦ ବର୍ଷ ପାଇଁ ଯୋଜନା କରୁଛନ୍ତି । ଏବଂ ଏଥିରୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କିନ୍ତୁ ଏହା କ’ଣ ସମ୍ଭବ? ମୋଦୀ ଜି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି । ୫ ବର୍ଷ ଧରି ଶାସନ ଚଳାଇବା ପରେ କଂଗ୍ରେସ-କେଜ୍ରିୱାଲଙ୍କୁ ଆତଙ୍କବାଦୀ ବୋଲି କହି ଭୋଟ୍ ମାଗୁଛନ୍ତି । ଅର୍ଥାତ୍ ସେମାନେ କାମ କରିନାହାନ୍ତି । ସେମାନେ କହିଛନ୍ତି ଯେ, କେଜ୍ରିୱାଲ ଜଣେ ଆତଙ୍କବାଦୀ, ଦେଶ ଭାଙ୍ଗିବାକୁ ଯୋଜନା କରୁଛି । ଯଦି ମୁଁ ୧୦ ବର୍ଷ ହେବ ଯୋଜାନା କରୁଛି ତେବେ, କଂଗ୍ରେସ ୩ ବର୍ଷ ଶାସନରେ ରହିଛି, ମୋଦୀ ୭ ବର୍ଷ ହେଲା ଶାସନ କରୁଛନ୍ତି, କିନ୍ତୁ ମୋତେ କାହିଁକି ଗିରଫ କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଫେବୃଆରୀ ୨୦ରେ ପଞ୍ଜାବର ୧୧୭ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ପଞ୍ଜାବରେ ଦେଖିବାକୁ ମିଳୁଛି ଏଭଳି ହାଇ ପ୍ରୋଫାଇଲ ରାଜନୀତି । ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଟ୍ୱିଟ୍ କରି କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ପ୍ରଧାନମନ୍ତ୍ରୀ ନିରପେକ୍ଷ ଯାଞ୍ଚ କରିବା ଉଚିତ୍ । ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ମଧ୍ୟରେ ୨୦ରେ ପଞ୍ଜାବରେ ଆରମ୍ଭ ହେବ ଭୋଟ୍ ।

Leave a Reply

Your email address will not be published. Required fields are marked *