କଂଗ୍ରେସ ଗଡରେ ବଜିମାରିଲା ଆମ୍ ଆଦମୀ ପାର୍ଟି

(ଦ କୁଇଭର): ପଞ୍ଜାବ ରାଜନୀତିରେ ବଡ଼ ପରିବର୍ତ୍ତନ । ବଦଳିଗଲା ପଞ୍ଜାବ ରାଜନୈତିକ ସମୀକରଣ । ଭାଙ୍ଗିଲା କଂଗ୍ରେସ ଗଡ଼ । ଦିଲ୍ଲୀରୁ ଯାଇ ପଞ୍ଜାବରେ ସରକାର ଗଢିବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ତେବେ ପଞ୍ଜାବରେ କାହିଁକି ଜିତିଲା ଆମ୍ ଆଦମୀ ପାର୍ଟି ? ଜାତୀୟ ଦଳ ହେବାକୁ ଯାଉଛି କି ଆପ୍ ? କ’ଣ ରହିଛି ଅରବିନ୍ଦ କେଜ୍ରିୱାଲଙ୍କ ମାଷ୍ଟରପ୍ଲାନ୍ ? ପ୍ରଧାନମନ୍ତ୍ରୀ ହେବେ କି ଆପ୍ ପ୍ରତିଷ୍ଠାତା ଆରବିନ୍ଦ କେଜ୍ରିୱାଲ? ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଚିତ୍ କରି ଆପ୍ ରଚିଛି ନୂଆ ଇତିହାସ । ଆପ୍ ର ଏହି ଅଦ୍ଭୁତପୂର୍ବ ସଫଳତା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ପ୍ରଥମ ଥର ପାଇଁ ଏକ ଆଞ୍ଚଳିକ ଦଳ ନିଜ ରାଜ୍ୟ ବାହାରେ ଯାଇ ସରକାର ଗଠନ କରିବାକୁ ଯାଉଛି । ପଞ୍ଜାବରେ ଆପର ଐତିହାସିକ ବିଜୟ ପରେ ଏହା ଏକ ଜାତୀୟ ଦଳ ହେବାକୁ ଯାଉଛି । ଆଉ ଆଗାମୀ ଦିନରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବ ଭୋଟରମାନେ ଚିରାଚରିତ ରାଜନୈତିକ ଦଳ ଉପରେ ଭରସା ନ କରି ଆପ୍ ଉପରେ ଭରସା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଦିନେ ଦେଖା ନଥିବା ଆମ୍ ଆଦମୀ ପାର୍ଟି ପଞ୍ଜାବର ସର୍ଦ୍ଦାର ପାଲଟିଛି ।

ପଞ୍ଜାବ କଂଗ୍ରେସରେ ଥିବା ଅନ୍ତଃକନ୍ଦଳ ପାଇଁ କଂଗ୍ରେସ ସେଠାରେ ପରାଜୟ ବରଣ କରିଛି । ଏହାସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ କଂଗ୍ରେସ ହାରିବା ପାଇଁ ଏକ ମୁଖ୍ୟ କାରଣ ସାଜିଛନ୍ତି । ଅନ୍ୟପଟେ ବିଜେପି ଓ ଶିରୋମଣି ଅକାଳି ଦଳ ମେଣ୍ଟ ଭାଙ୍ଗିବା ଓ ଚାଷୀ ଆନ୍ଦୋଳନ ବିଜେପି ଉପରେ ଭାରି ପଡ଼ିଛି । ଯାହା ଆପ ପାଇଁ ଏକ ବଡ଼ ସୁଯୋଗ ପାଲଟିଛି ।
ଜାତୀୟ ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚାହୁଁଥିବା କେଜ୍ରିୱାଲଙ୍କ ଆଗମୀ ରଣନୀତି କ’ଣ ରହିବ, ତାହା ତ ସମୟ କହିବ । କିନ୍ତୁ କେନ୍ଦ୍ରରେ ବିଜେପି ଓ କଂଗ୍ରେସକୁ କିଭଳି ଟକ୍କର ଦେବ ଆମ୍ ଆଦମୀ ପାର୍ଟି, ତାହା ଉପରେ ରହିଛି ସମସ୍ତଙ୍କର ନଜର ।

Leave a Reply

Your email address will not be published. Required fields are marked *