ଚଳଚଳଞ୍ଚଳ ଏକାମ୍ରକ୍ଷେତ୍ର: ଆଜି ଗଡ଼ିବ ରୁକୁଣା ରଥ

ଭୁବନେଶ୍ୱର (ଦ କୁଇଭର): ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣିବେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ୟ୍ୟନ୍ତ ଠାକୁରଙ୍କ ସାହାଣ ମେଲା ହୋଇଛି । ଏହାପରେ ରୋଷହୋମ, ପାକକାର୍ୟ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହୋଇଛି । ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ୟ୍ୟଦେବଙ୍କ ପୂଜା ବିଧିମତେ କରାଯିବ । ସବୁ ପୂଜାବିଧି କରୋନା କଟକଣା ଭିତରେ ହେବାକୁ ଧାର୍ଯ୍ୟ କରାଯାଇଛି ।

ଲିଙ୍ଗରାଜଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହେବ ଓ ଘଣ୍ଟାକ ଭିତରେ ସେବାୟତଗଣ ଏହା ସାରିବେ । ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ପରେ ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ ।

ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ ନୀତି କରାଯିବ। ଦୀର୍ଘ ୨ ବର୍ଷ ଧରି କରୋନା କଟକଣା ଥିବାରୁ ସାଧାରଣ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିବାକୁ ସୂଯୋଗ ପାଉ ନଥିଲେ । ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ଭକ୍ତମାନେ ରୁକୁଣା ରଥ ଟାଣିବାକୁ ସୁଯୋଗ ପାଇବେ । ତେଣୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *