କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ୬ ଜଣ

ହାଇଦ୍ରାବାଦ (ଦ କୁଇଭର): ଆନ୍ଧ୍ରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ଏକ ରାସାୟନିକ ଉତ୍ପାଦନ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗ୍ୟାସ୍ ଲିକ୍ ହେବା ପରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ମଧ୍ୟରାତ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଫ୍ୟାକ୍ଟ୍ରିରେ ୧୮ ଜଣ ଥିଲେ। ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏସପି ଓ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

ପଶ୍ଚିମ ଗୋଦାବରୀ ଜିଲ୍ଲା ଏସପି କହିଛନ୍ତି ଯେ, ପୋରସ ରସାୟନିକ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଠାରେ ପଲିମର ପ୍ରସ୍ତୁତ କରାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ । ଗ୍ୟାସ୍ ପାଇପ୍ ଲାଇନ୍ ଲିକ୍ କିମ୍ବା ଭାଙ୍ଗିଯିବା ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ଶବ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ସେ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଥିବା ବେଳେ ସାମାନ୍ୟ ଆହତଙ୍କ ଲାଗି ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *