ଆଜି ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର (ଦ କୁଇଭର): ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଘରେ ଘରେ ଜମୁଛି ପଣାର ଆସର । ଓଡିଆ ପରମ୍ପରା ଅନୁସାରେ ପଣାସଂକ୍ରାନ୍ତି, ଯାହାକୁ ‘ମହା ବିଷୁବ ସଂକ୍ରାନ୍ତି’, ‘ମହା ସଂକ୍ରାନ୍ତ’ ଏବଂ ‘ମେଷ ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆ ଘରର ଏହି ପୂଜା ପରମ୍ପରା ସମ୍ପୂର୍ଣ୍ଣ ନିଆରା । ପରମ୍ପରା ଅନୁଯାୟୀ, ପାନ ସଙ୍କ୍ରାନ୍ତୀ ପ୍ରଭୁ ହନୁମାନଙ୍କ ଜନ୍ମଦିନ ବୋଲି ବିଶ୍ୱାସ କରାଯାଏ । ଏଥିସହ ଓଡିଆ ନୂଆ ବର୍ଷକୁ ଧାର୍ମିକ ଉତ୍ସାହ ଓ ଗୌରବ ସହିତ ଆଜି ସାରା ରାଜ୍ୟରେ ପାଳନ କରାଯାଉଛି ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ଛତୁଆ,ଦହି,ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟାଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ,ସାରଳା,ବିରଜାଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ମେରୁ ଯାତ୍ରା ପାଳନ କରାଯାଉଥିବାବେଳେ ଅଧିକାଂଶ ସ୍ଥାନ ଆଜି ଏହି ପର୍ବ ପାଳନ କରାଯାଉଛି । ଧୂଳି ଦଣ୍ଡ ଏବଂ ଜାମୁ ଯାତ୍ରା ବା ମେରୁ ଯାତ୍ରା ମା’ କାଳିଙ୍କ ପିଠରେ ଅନୁଷ୍ଠିତ ହୋଇଥାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ୍ରା ପାଳନ କରାଯାଏ । ଆଜିର ଦିନରେ ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।

Leave a Reply

Your email address will not be published. Required fields are marked *