ତୃତୀୟ ବିଶ୍ୱଯୁଦ୍ଧ ଚାହୁଁଛନ୍ତି କି ପୁଟିନ୍ ?

(ଦ କୁଇଭର ବ୍ୟୁରୋ): ୫୨ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନରେ ଚାଲିଛି ଯୁଦ୍ଧର ତାଣ୍ଡବ ଲୀଳା । ଦିନ ଯେତିକି ଗଡ଼ୁଛି, ସେତେ ଆକ୍ରମଣାତ୍ମକ ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ୟୁକ୍ରେନରେ ପଶି ଆତଙ୍କ ଖେଳାଇଚାଲିଛି ଋଷ ସେନା । ସେପଟେ ଋଷକୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନ୍ୟ । ଋଷ ସହିତ ଯୁଦ୍ଧ କରି ୩୦୦୦ ୟୁକ୍ରେନ୍ ସୈନିକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ସୈନିକ ଆହତ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ ତାହା କହିବା ମୁସ୍କିଲ୍ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ତେବେ ପ୍ରଶ୍ନ ଉଠୁଛି, ୨ମାସ ବିତିବାକୁ ଯାଉଛି ଋଷ-ୟୁକ୍ରେନ୍ ଯୁଦ୍ଧ । ବର୍ତ୍ତମାନ କ’ଣ କରିବେ ପୁଟିନ୍? ଆଉ କେତେ ଦିନ ଚାଲିବ ମହାଯୁଦ୍ଧ? ତୃତୀୟ ବିଶ୍ୱଯୁଦ୍ଧ ଚାହୁଁଛନ୍ତି କି ପୁଟିନ୍? କାହିଁକି ୨ ଦେଶ ମଧ୍ୟରେ ସଫଳ ହେଉନି ଆଲୋଚନା? ନାଟୋକୁ ଟକ୍କର ଦେବାକୁ ଚାହୁଁଛନ୍ତି କି ପୁଟିନ୍? ଏଭଳି ଅନେକ ପ୍ରଶ୍ନ ଏବେ ବିଶ୍ୱବାସୀଙ୍କ ମନରେ ।

ଋଷ ସେନା ପ୍ରତ୍ୟାହାର ପରେ ୟୁକ୍ରେନର ରାଜଧାନୀ ଚତୁଃପାଶ୍ୱର୍ସ୍ଥ ଅଞ୍ଚଳରୁ ୯୦୦ରୁ ଉଦ୍ଦ୍ୱର୍ ଶବ ଉଦ୍ଦାର କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଳି ଚୋଟରେ ପ୍ରାଣ ହରାଇଥିବା ପୋଲିସ କହିଛି । ଆଉ ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଋଷୀୟ ଅଞ୍ଚଳରେ ୟୁକ୍ରେନ୍ ଚଳାଇଥିବା ଆକ୍ରମଣର ପ୍ରତିଆକ୍ରମଣ ଭାବେ କିଭ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ବଢାଯିବ ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ଏହାଛଡ଼ା ପୂର୍ବ ୟୁକ୍ରେନରେ ପୂର୍ବଅପେକ୍ଷା ଅଧିକ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି ଋଷ । ଦକ୍ଷିଣାଞ୍ଚଳ ବନ୍ଦର ନଗରୀ ମାରିଉପୋଲରେ ମଧ୍ୟ ଲଢେଇ ଜୋରଦାର ଚାଲିଛି । ସେଠାରେ ଋଷ ସୈନ୍ୟମାନେ ଶବ ପୋତି ପକାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଉତ୍ତରାଞ୍ଚଳ ନଗର ଖାରକିଭ ଆବାସିକ ଅଞ୍ଚଳରେ ବୋମାମାଡ଼ ଯୋଗୁଁ ଜଣେ ୭ ମାସର ଶିଶୁ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଥିବା କଥା ଆଞ୍ଚଳିକ ଗଭର୍ଣ୍ଣର ଓଲେହ ସିନେହୁବୋର କହିଛନ୍ତି । ତେବେ ଏହି ଯୁଦ୍ଧ ବିରାମ ପାଇଁ ମେ’ ୯ ଡେଡଲାଇନ ଦେଇଥିବା ପୁଟିନ୍ ବର୍ତ୍ତମାନ କ’ଣ ମାଷ୍ଟରପ୍ଲାନ୍ ଆପଣାଉଛନ୍ତି, ତାହା ଉପରେ ରହିଛି ବିଶ୍ୱବାସୀଙ୍କ ନଜର ।

Leave a Reply

Your email address will not be published. Required fields are marked *