ସୁଖୋଇ-୩୦ ଲଢ଼ୁଆ ବିମାନରୁ ବ୍ରହ୍ମୋସ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ(ଦ କୁଇଭର) : ଭାରତୀୟ ପ୍ରତିରକ୍ଷା ବିଭାଗକୁ ମିଳିଲା ବଡ଼ ସଫଳତା । ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ସୁଖୋଇ ଲଢ଼ୁଆ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ମିଳିତ ସମନ୍ଵୟରେ ଏହି ପରୀକ୍ଷଣ ହୋଇଛି । ଏହି ବ୍ରହ୍ମୋସ କ୍ରୁଜ୍ ମିସାଇଲ ଟାର୍ଗେଟରେ ଥିବା ନୌସେନାର ଏକ ପରିତ୍ୟକ୍ତ ଜାହାଜକୁ ଧ୍ୱଂସ କରିଥିଲା । ଏହା ପୂର୍ବରୁ ଗତ ମାସରେ ଆଣ୍ଡାମାନ ଏବଂ ନିକୋବରରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।
୨୦୧୬ ମସିହାରେ ୪୦ଟି ସୁଖୋଇ ବିମାନରେ ବ୍ରହ୍ମୋସ ଭାରିଆଣ୍ଟର ଏୟାର-ଲଞ୍ଚ ବ୍ୟବସ୍ଥା କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ଏହି ପରୀକ୍ଷଣ ଦ୍ବାରା ଭାରତୀୟ ବାୟୁସେନା ପ୍ରତିରକ୍ଷା କାରିଗରୀରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ବ୍ରହ୍ମୋସ ଏକ ସ୍ୱଳ୍ପ ଦୂରଗାମୀ ରାମଜେଟ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ । ଏହି ମିସାଇଲକୁ ବୁଡ଼ାଜାହାଜ, ଜାହାଜ, ବିମାନ ବା ଭୂସ୍ଥଳରୁ ପ୍ରୟୋଗ କରାଯାଇପାରିବ । ଶବ୍ଦଠାରୁ ୩ ଗୁଣ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ସର୍ବାଧିକ ୩୫୦ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିପାରିବ ।

Leave a Reply

Your email address will not be published. Required fields are marked *