ଆସିଲା ନୂଆ ଗାଇଡଲାଇନ୍‌: ଖ୍ରୀଷ୍ଟମାସରେ ଏକାଠି ହେବା ମନା

ଆଗକୁ ନୂଆବର୍ଷ ଆସୁଥିବାରୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସହରରେ କୌଣସି ପ୍ରକାର ସମାବେଶ ହୋଇପାରିବ ନାହିଁ

(ଦ କୁଇଭର): ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ । ସାରା ବିଶ୍ୱରେ ଓମିକ୍ରନ ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୨୧୩ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଭାରତରେ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହା ବର୍ତ୍ତମାନ ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ତେଣୁ ଆଗକୁ ନୂଆବର୍ଷ ଆସୁଥିବାରୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସହରରେ କୌଣସି ପ୍ରକାର ସମାବେଶ ହୋଇପାରିବ ନାହିଁ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ।

ଡିଡିଏମଏର କହିବା ଅନୁଯାୟୀ, ଦିଲ୍ଲୀରେ କୌଣସି ପ୍ରକାର ସାମାଜିକ ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ହୋଇପାରିବ ନାହିଁ । ଏହାକୁ ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଡିସିପିମାନଙ୍କୁ ନିର୍ଦ୍ଦେଶ କରାଯାଇଛି । ଦିଲ୍ଲୀରେ ଅନେକ ସମୟରେ ଲକ୍ଷ୍ୟ କରାଯାଇଛି ଯେ, ଦିଲ୍ଲୀବାସୀ ବହୁ ମାତ୍ରାରେ ନିୟମକୁ ବେଖାତିର କରନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ନିୟମ ନମାନିବେ, ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସ୍ଥାନୀୟ ମାଜିଷ୍ଟ୍ରେଟ୍ ଓ ଡିସିପି ।

Leave a Reply

Your email address will not be published. Required fields are marked *