IPL 2022: ଦିଲ୍ଲୀକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ(ଦ କୁଇଭର): ଦିଲ୍ଲୀକୁ ଦାବିଲା ରାଜସ୍ଥାନ । ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି ରାଜସ୍ଥାନ । ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୩୪ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ ଆଗରେ ୨୨୨ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଦିଲ୍ଲୀ ୨୨୩ ରନର ବିଜୟ ଲକ୍ଷ୍ୟ ଦେଇଥିବା ରାଜସ୍ଥାନ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୭ ରନରେ ଅଟାକାଇଥିଲା । ଯାହା ଫଳରେ ଏହି ମ୍ୟାଚକୁ ରାଜସ୍ଥାନ ୧୫ ରନରେ ନିଜ ନାମରେ କରିଥିଲା ।


ଗତକାଲି ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ଧିମା ଆରମ୍ଭ କରିଥିଲେ । କିନ୍ତୁ ୫ ଓଭର ପରେ ଦୁଇ ଓପନର ଦେବିଦତ୍ତ ପାଡ଼ିକଲ ଓ ଜସ୍ ବଟଲର ଧୁଆଁଧାର ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ଓ୍ୱିକେଟ ପାଇଁ ୧୫୫ ରନ କରିଥିଲେ । ପାଡିକଲ ୫୫ ରନ କରି ଆଉଟ ହେବା ପରେ ଦଳର ପାରି ବଟଲରଙ୍କ ସହ ସମ୍ଭାଳିଥିଲେ ଅଧିନାୟକ ସଞ୍ଜୁ ସାମସନ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ଇନିଂସ ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୨୨୨ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ବଟଲର ୬୫ ବଲରେ ଧୁଆଁଧାର ୧୧୬ ରନ କରିଥିବା ବେଳେ ସଞ୍ଜୁ ସାମସନ୍ ୧୯ ବଲରେ ଦ୍ରୁତ ୪୬ ରନ କରିଥିଲେ ।


୨୨୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । କିନ୍ତୁ ଲଗାତର ଦୁଇ ଓ୍ୱିକେଟ ଯିବା ପରେ ବ୍ୟାକଫୁଟକୁ ଆସିଥିଲା ଦଳ । ଦୁଇ ଓ୍ୱିକେଟ ଯିବା ପରେ ପୃଥ୍ୱୀ ଶ’ଙ୍କ ସହ ପାରି ସମ୍ଭାଳିଥିଲେ ଅଧିନାୟକ ଋଷଭ ପନ୍ତ । ପୃଥ୍ୱୀ ଶ’ କ୍ରିଜରେ ସେଟ୍ ହୋଇଥିଲେ ମଧ୍ୟ ୩୭ ରନ କରି ବୁଟ ହୋଇଥିଲେ । ସେହିପରି ପନ୍ତ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୪୪ ରନ କରିଥିଲେ । ୪୪ ରନ କରି ପ୍ୟାଭିଲିୟନ ଫେରିଥିଲେ ପନ୍ତ । ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇବା ଫଳରେ ରନ ଗତି ଧିମେଇ ଯାଇଥିଲା । ଶେଷରେ ଯଦିଓ ଲଳିତ ଯାଦବ ଓ ରୋଭମ୍ୟାନ ପାଓ୍ୱେଲ ଧୁଆଁଧାର ବ୍ୟାଟିଂ କରିଥିଲେ କିନ୍ତୁ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇପାରି ନଥିଲେ । ଦିଲ୍ଲୀ ଏହି ମ୍ୟାଚକୁ ୧୫ ରନରେ ପରାସ୍ତ ହୋଇଥିଲା । ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ରବି ଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ ।
ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୭ ମ୍ୟାଚରେ ୩ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *