ପୁରୀ (ଦ କୁଇଭର): ବଡ଼ ଦେଉଳ ପ୍ରତି ଏ କି ବିଭ୍ରାଟ? ଶ୍ରୀମନ୍ଦିରରେ ଚାଲିଛି ଏ କି ଫାର୍ସ? ପ୍ରଥମେ ସୁରକ୍ଷା କରଡ଼ର ନାଁରେ ବଡ଼ ଦେଉଳକୁ ବିପଦ ମୁହଁକୁ ଠେଲିଦେବାକୁ ଯୋଜନା ଚାଲିଛି । ତା ପରେ ରୋଶଘରେ ୪୦ରୁ ଉଦ୍ଧ୍ୱର୍ ଚୁଲିକୁ ଭାଙ୍ଗିଦିଆଗଲା । ଜଣଙ୍କ ମନକୁ ଭଲ ଲାଗିଲାନି ବୋଲି ସେ ମହାପ୍ରଭୁଙ୍କ ରୋଷଘରେ ପଶି ଭାଙ୍ଗିଦେଲା । ଆଉ ଗତକାଲି ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କଲେ । ଖାଲି ସେତିକି ନୁହେଁ ପୂର୍ବରୁ ଆନନ୍ଦବଜାରରେ ଅବଢା ସାଙ୍ଗକୁ କିଛି ଲୋକ ବିରିୟାନୀ ବି ଖାଇଲେ । କଟକଣା ସତ୍ତେ୍ୱ ଗଣ୍ଡାଗଣ୍ଡା ମୋବାଇଲ ଭିତରେ ବୁଲୁଛି । ସେ ଜଗମୋହନ ହେଉ ବା ଲକ୍ଷ୍ମୀ ମନ୍ଦିର ହେଉ । କୋଇଲି ବୈକୁଣ୍ଠ ହେଉ ବା ନାଟ ମଣ୍ଡପ ହେଉ, ସବୁଠି ମୋବାଇଲ ଧରି ବୁଲୁଛନ୍ତି ସେବାୟତ ଓ ପୋଲିସ । ସରକାରଙ୍କ ଇଏ କି ସୁରକ୍ଷା ବ୍ୟବସ୍ଥା ? ଇଏ କି କଡ଼ାକଡ଼ି ବ୍ୟବସ୍ଥା? ଶ୍ରୀମନ୍ଦିର ପ୍ରତି ସରକାରଙ୍କ ଏତେ ଖାମଖିଆଲ ମନୋଭାବ କାହିଁକି? କାହିଁକି ଏଭଳି ବିଭ୍ରାଟ କରାଯାଉଛି । ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ବଡ଼ ଦେଉଳ ପ୍ରତି ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରିଚାଲିଛନ୍ତି ସରକାର । ଭକ୍ତ ଓ ସେବାୟତଙ୍କ ସୁବିଧା ଆଳରେ ନିଷିଦ୍ଧାଞ୍ଚଳରେ ବିରାଧ ବିରାଟ ବିରାଟ ଗର୍ତ୍ତ ଖୋଲିଲେ । ଆଉ ପାଇଲିଂ କରି ପିଲାର ବି ଉଠାଇଲେ । ଯାହା ବେଆଇନ, ଏକଥା ସମସ୍ତେ ଜାଣିଛନ୍ତି । କିନ୍ତୁ ସରକାରଙ୍କ ବିରୋଧରେ ପାଟି ଖୋଲିବାକୁ କାହାର ସାହସ ନାହିଁ । ଏହାକୁ ନେଇ ଅନେକ ପ୍ରତିବାଦ ଓ ବିରୋଧ ହେଲା । ତଥାପି ସରକାର ବେଫିକର । ଗୋଟିଏ ପରେ ଗୋଟିଏ ଦ୍ୱାରରେ ଖୋଳି ଖୋଳି ଚାଲିଛନ୍ତି । ଯାହା ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ମାଡ଼ି ଆସୁଛି ବୋଲି ଅଭିଯୋଗ ହେଉଛି ।

ଆଉ ଏହି ଷଡ଼ଯନ୍ତ୍ର ପରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଯାହା ଶ୍ରୀମନ୍ଦିର ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ଜଣେ ଯୁବକ ତାଙ୍କୁ ଭଲ ନ ଲାଗିବାରୁ ଶ୍ରୀମନ୍ଦିର ରୋଷଶାଳାରେ ପଶି ୪୦ରୁ ଉଦ୍ଧ୍ୱର୍ ବରାଦି ଭୋଗ ଚୁଲି ଭାଙ୍ଗିଦେଇଥିଲେ । କଡ଼ା ସୁରକ୍ଷା ସହ ୨୪ ଘଣ୍ଟିଆ ସିସିଟିଭିର ନଜର ଥିବା ସତ୍ତେ୍ୱ ମଧ୍ୟ ଜଣେ ଯୁବକ ରୋଷ ଘରେ ପଶି ଚୁଲି ଭାଙ୍ଗିବା ଶ୍ରୀମନ୍ଦିର ସୁରକ୍ଷାର ଅସଲ ଚିତ୍ରକୁ ପଦାରେ ପକାଇଲା । ଶ୍ରୀମନ୍ଦିର ଭିତରେ ସୁରକ୍ଷାରେ ଏଭଳି ଢିଲା ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ଆନନ୍ଦ ବଜାରରେ ଭକ୍ତ ମହାପ୍ରସାଦ ବଦଳରେ ବିରିୟାନୀ ଖାଉଥିବା ଦେଖିବାକୁ ମିଳିଥିଲା । ଆଉ ଏମିତି ଘଟଣା ପରେ ମଧ୍ୟ ସରକାର ଓ ପ୍ରଶାସନର ଚେତା ଉଦୟ ହୋଇପାରିଲା ନାହିଁ । ଗତକାଲି ସିଂହଦ୍ୱାର ଗୁମୁଟ ଉପରକୁ ଚଢି ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ସାମ୍ନାକୁ ଆସୁଛି, ଯାହା ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ମହାପ୍ରଭୁ ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଖେଳ ଖେଳାଯାଉଛି । କେବଳ ଏହି ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ତଥାପି ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଆଉ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆମେ ପ୍ରଶ୍ନ କରିବାକୁ ବାଧ୍ୟ ହେଉଛୁ ଶ୍ରୀମନ୍ଦିରକୁ ନେଇ ଏତେ ବଡ଼ ଷଡ଼ଯନ୍ତ୍ର କାହିଁକି? ଏପରି ଷଡଯନ୍ତ୍ର ପଛରେ କ’ଣ ରହିଛି ସରକାରଙ୍କ ଆଭିମୁଖ୍ୟ?

Leave a Reply

Your email address will not be published. Required fields are marked *