ପୁରୀ (ଦ କୁଇଭର): ବଡ଼ ଦେଉଳକୁ ବିପଦରେ ପକାଉଛି ଖୋଦ୍ ଏଏସଆଇ । ସାଲିସ କରି ଶ୍ରୀମନ୍ଦିରକୁ ବିପଦ ମୁହଁକୁ ଠେଲିଦେଉଛି । ଯେଉଁମାନେ ବେଆଇନ ନିର୍ମାଣ କରିଥିଲେ ସେମାନଙ୍କ ସହ ହାତ ମିଳାଇଛି । ଆଉ ଏଥିପାଇଁ କୋଟି କୋଟି ଟଙ୍କାର ଡିଲ୍ ହୋଇଛି । ଏଏସଆଇର ବାବୁମାନେ ପୁଳା ପୁଳା ଟଙ୍କା ନେଇ ପାଟିରେ ତୁଣ୍ଡି ବାନ୍ଧି ବସୁଛନ୍ତି । ଏଭଳି ଅଭିଯୋଗ ଆଣୁଛନ୍ତି ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବି । ଏହା ପଛରେ ବେଶ ବଳିଷ୍ଠ ଯୁକ୍ତି ମଧ୍ୟ ଦର୍ଶାଉଛନ୍ତି । ୨୦ ବର୍ଷର ରେକର୍ଡ ଦେଖାଉଛନ୍ତି । ଆଉ ଏବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ବେଆଇନ ଖନନ କାର୍ଯ୍ୟକୁ ନେଇ ସନ୍ଦେହ ଘେରକୁ ଆସିଛି ଏଏସଆଇ ।

ଏବେ ଚାଲିଥିବା ଐତିହ୍ୟ କରିଡର ବଡ଼ ଦେଉଳ ପ୍ରତି ବିପଦ ସୃଷ୍ଟି କରିପାରେ ଏକଥା ଚିଠିରେ ଜଣାଇଛି । ହେଲେ କାମ ବନ୍ଦ କରିବାକୁ ନିର୍ଦେଶ ଦେଇନାହିଁ । ଏହି ମାମଲା ହାଇକୋର୍ଟରେ ପହଁଚିଲା । ଏଏସଆଇକୁ ଜବାବ ମାଗିଲେ ହାଇକୋର୍ଟ, ପୂର୍ବ ଚିଠି ଆଧାରରେ କାମ ବନ୍ଦ କରିବାକୁ ପ୍ରାର୍ଥନା ନକରି ସମୟ ମାଗିଲା, ମିଳିତ ରିପୋର୍ଟ ନାମରେ ଏବେ ସମୟ ନେଉଛି ଏଏସଆଇ, ୯ ତାରିଖ ହାଇକୋର୍ଟ ଶୁଣାଣି କରିବେ, ଦୁଇଦିନ ପୂର୍ବରୁ ସତ୍ୟପାଠ ଦେବାକୁ ନିର୍ଦେଶ ଥିଲା, ହେଲେ ଶନିବାର ପର୍ୟ୍ୟନ୍ତ ରିପୋର୍ଟ ଦାଖଲ ହୋଇ ନଥିଲା, ସୋମବାର ଏଏସଆଇ ରିପୋର୍ଟ ଦେଇ ନପାରିଲେ ପୁଣି ସମୟ ନେବ । ଏହି ଭିତରେ ବେଆଇନ ନିର୍ମାଣ ଅଧିକ ବଢ଼ିବ, ଏହି ସାଲାସୁତୁରା ରେ ବଳି ପଡିବ ବଡ଼ଦେଉଳ, ଏଥିପାଇଁ କାଳେ ଦିଲ୍ଲୀ ସ୍ତରରେ ଡିଲ ହୋଇଛି, ଅପରାଜିତା ବିରୋଧ କରିବା ପରେ ବିଜେପିର କିଛି ମୁଣ୍ଡି ନେତା ଏଏସଆଇ ସହ ରାଜ୍ୟ ସରକାରଙ୍କ ପାଇଁ କାମ କରିବାକୁ ସୁଯୋଗ ଦେବାପାଇଁ ଅଘୋଷିତ ଚୁକ୍ତି କରିଛନ୍ତି । ଯଦି ୨୦ ବର୍ଷର ରେକର୍ଡ ଦେଖିବା ତେବେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଅନ୍ୟୁନ ୩ଶହ କୋଠା ନିର୍ମାଣ ହୋଇଛି । ବେଶ ଗଭୀର ଓ ବଡ଼ ବଡ଼ କୋଠା । ପାଇଲିଂ ବି ହୋଇଛି । ଏଏସଆଇ ଅନେକଙ୍କୁ ନୋଟିସ୍ କରିଛି, କିନ୍ତୁ କାହାର କାମ ବନ୍ଦ କରିନାହିଁ । ଆଉ ଏବେ କରିଡର ପ୍ରକଳ୍ପ ସ୍ଥଳରେ ଏଏଏସଆଇ ସମାନ ଭୂମିକା ଦେଖିବାକୁ ମିଳୁଛି ।

ଟଙ୍କା ନେଇ ପ୍ରକଳ୍ପ ସ୍ଥଳରେ ହେଉଥିବା ବେଆଇନ କାମକୁ ଏଏସଆଇ ବିରୋଧ କରୁନଥିବା ଚର୍ଚ୍ଚା ହେଉଛି । କାରଣ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏଏସଆଇ ଅଧିକାରୀମାନେ ପ୍ରତି ୨ରୁ ୩ ଦିନ ମଧ୍ୟରେ ପ୍ରକଳ୍ପ ସ୍ଥଳ ଯାଞ୍ଚ କରିଥାନ୍ତି । ନିର୍ମାଣ କାର୍ଯ୍ୟର ତଦାରଖ କରିଥାନ୍ତି । କିନ୍ତୁ କେବେ ଏହାକୁ ବିରୋଧ କରୁନାହାନ୍ତି । ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ କରିବା ବେଆଇନ, ଆଉ ଏହି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବେଆଇନ ବୋଲି ଜାଣିଥିଲା ଏଏସଆଇ । ଏଥିପାଇଁ ପ୍ରଥମେ ଚିଠି ମଧ୍ୟ କରିଥିଲା । କିନ୍ତୁ ପରେ କ’ଣ ହେଲା କେଜାଣି । ସବୁ ଦେଖି ଚୁପ୍ ରହିଲା । ଏଏସଆଇର ଅଧିକାରୀମାନେ ସରକାରଙ୍କ ସହ ସାଲିସ କରିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କରିଡର କାର୍ଯ୍ୟରେ ଏଏସଆଇର ଭୂମିକା ମୂଳରୁ ସାନ୍ଦେହପୂର୍ଣ୍ଣ ରହିଛି । ଚୁପ୍ ରହିବା ବଦଳରେ ପୁଳା ପୁଳା ଟଙ୍କା ମିଳୁଥିବା ଚର୍ଚ୍ଚା ହେଉଛି ।

ପୂର୍ବ ଘଟଣା ଉପରେ ଯଦି ନଜର ପକାଇବା, ତେବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କରିଡର କାର୍ଯ୍ୟ ପାଇଁ ଉଚ୍ଛେଦ ପ୍ରକ୍ରିୟା ବେଳେ ମଧ୍ୟ ନିରବ ରହିଥିଲା ଏଏସଆଇ । ଆଉ ଏଥିରେ ଆଉ ଏକ ବଡ଼ ବିବାଦୀୟ ଭୂମିକା ଗ୍ରହଣ କରିଥିଲା ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ବା ପିକେଡି । ପିକେଡିର ଏହାକୁ ଅନୁମତି ଦେବାର କ୍ଷମତା ନଥିଲେ ମଧ୍ୟ ପ୍ରକଳ୍ପ ଅନୁମୋଦନ କରିଥିଲା । ଯାହା ଫଳରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବଡ଼ ବଡ଼ କୋଠା ନିର୍ମାଣ ହୋଇଥିଲା । ଆଉ ଏବେ ଚାଲିଛି ଐତିହ୍ୟ ଓ କିର୍ତ୍ତୀରାଜିର ଧ୍ୱଂସଲୀଳା । ମିଳିମିଶି ବଡ଼ ଦେଉଳକୁ ବିପଦକୁ ଟାଣୁଛନ୍ତି । ଆଉ ଏଥିରେ ମୁଖ୍ୟ ଭୂମିକା ନେଉଛି ଏଏସଆଇ ।

Leave a Reply

Your email address will not be published. Required fields are marked *