ବଢୁଛି ଗ୍ୟାସ ଦର: କାହିଁକି ମୁହଁରେ ତୁଣ୍ଡି ବାନ୍ଧିଛି BJD ?

ଭୁବନେଶ୍ୱର (ଦ କୁଇଭର): ଜାଳେଣି ଗ୍ୟାସ ଦରବୃଦ୍ଧି ରେକର୍ଡ କରିଛି । ୧୧ଶହ ପାଖାପାଖି ପହଞ୍ଚିଲାଣି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ । ହେଲେ ଏହି ଦରବୃଦ୍ଧି ପ୍ରତି କାହାର ନଜର ନାହିଁ? କଂଗ୍ରେସ ତ ଚୁପ୍, ବିଜେଡିର ପାଟି ଖୋଲୁନି । ଗ୍ୟାସ ଦର ୬୨୯ ଥିବା ବେଳେ ଚିତ୍କାର କରୁଥିଲା ବିଜେଡି । ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ରଙ୍କ ପରି ପୁରୁଖା ମହିଳା ନେତ୍ରୀ ଓ ସଞ୍ଜୟଙ୍କଠୁ ଆରମ୍ଭ କରି ଅମର ଶତପଥୀ, ବ୍ୟମକେଶ ଓ ଅରୁଣ ସାହୁ ପର୍ଯ୍ୟନ୍ତ ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ଗ୍ୟାସ ସିଲିଣ୍ଡର ଧରି ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । କଂଗ୍ରେସ ବି ଓହ୍ଲେଇ ଆସିଥିଲା ରାଜରାସ୍ତାକୁ । ଉଭୟେ ବିଜେପିକୁ ବେସ୍ ଭର୍ତ୍ସନା କରିଥିଲେ । ଆଉ ସେତେବେଳେ ନିଶାନାରେ ଥିଲେ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ହେଲେ ଆଜି ସମସ୍ତେ ଚୁପ୍ କାହିଁକି? ଗ୍ୟାସ ଦର ୧୦୬୩ ବୋଲି ବିଜେଡି- କଂଗ୍ରେସ ପାଖରେ ଖବର ନାହିଁ ନା ଏତେ ଦରବୃଦ୍ଧି ଗ୍ରାହକଙ୍କୁ ଆଉ ବାଧୁନି? ନା ଏହାପଛରେ ଆଉ କିଛି କାରଣ ଅଛି । କଂଗ୍ରେସ ରାଜ୍ୟ ଓ ଦେଶରେ ଲିଭିଲିଭି ଗଲାଣି । ସଙ୍ଗଠନ ସ୍ଥିତି ସଜାଡିବାକୁ ନେତାମାନେ ଲାଗିଛନ୍ତି । ଲୋକଙ୍କ କଥା ପଚାରିବାକୁ ତାଙ୍କର ସମୟ ନାହିଁ । ହେଲେ ବିଜେଡି ଚୁପ୍ କାହିଁକି? ଦଳ ତ ବେଶ ସମୃଦ୍ଧ ଅଛି । ଗ୍ରାହକଙ୍କ କଷ୍ଟ କ’ଣ ଦିଶୁନି? ନା କେନ୍ଦ୍ରର ବିଜେପି ସରକାରଙ୍କ ସହ ଭାଇ ଭାଇ ହୋଇଯାଇଛି ବିଜେଡି? ବିଜେଡି ପ୍ରତି ବିଜେପିର ଅନୁକମ୍ପା ଜଳ ଜଳ ହୋଇ ଦିଶୁଛି । ପ୍ରତି କଥାରେ ବିଜେଡି ପ୍ରତି ନରମ ରହୁଛି ବିଜେପି । ନବୀନଙ୍କ ସ୍ୱପ୍ନର ପ୍ରକଳ୍ପ ଐତିହ୍ୟ କରିଡର ପ୍ରକଳ୍ପରେ ବିଜେପି ବିଜେଡି ପାଖରେ ଠିଆହୋଇ କାମ କରୁଛି । ଏହାର ପ୍ରତିଦାନରେ ନିରବ ରହୁନି ତ ବିଜେଡି? ନବୀନଙ୍କ ପ୍ରତି କଥାରେ ସମର୍ଥନ ଦେଇଛି ବିଜେପି, ସେଥିପାଇଁ ଉପକାର ସୁଝୁଛି କି ବିଜେଡି? ନା କେନ୍ଦ୍ର ସରକାର ଯେଉଁ ଶୋଷଣ କରୁଛନ୍ତି ତାଙ୍କ ସହ ମିଶିଯାଇଛନ୍ତି ରାଜ୍ୟ ସରକାର?

ଗ୍ୟାସ ଦର ବୃଦ୍ଧିକୁ ନେଇ ସବୁବେଳେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବିଜେଡି ହଠାତ୍ ଚୁପ୍ ହୋଇଯିବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବାରମ୍ବାର ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ଯେତେଥର ଦର ବଢିଛି, ସବୁବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିକ୍ଷୋଭ କରିଛି ଦଳ । ବିଜୁ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ସବୁ ଶାଖା ପକ୍ଷରୁ ବିକ୍ଷୋଭ କରାଯାଇଛି । ଏପରିକି ବିଜୁ ଜନତା ଦଳର ମହିଳା ନେତ୍ରୀମାନେ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଚୁଲି ଜାଳି ରୋଷେଇ କରି ପ୍ରତିବାଦ କରିଥିଲେ । କିନ୍ତୁ ଏବେ ସେମାନଙ୍କ ଦେଖାନାହିଁ । ଗ୍ୟାସ ଦର ୧୦୦୦ ପାର୍ କଲାଣି । କୁଆଡ଼େ ଗଲେ ବିଜେଡି ନେତା ଓ ନେତ୍ରୀ?

Leave a Reply

Your email address will not be published. Required fields are marked *