ସ୍ତବ୍ଧ କ୍ରିକେଟ ଜଗତ, ପରଲୋକରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟରେ ଦୁଃଖର କଳା ବାଦଲ । ଏହା ସହ ସାରା କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଏକ ପରଲୋକ ହୋଇଛି । ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସାଇମଣ୍ଡ ଶନିବାର ରାତିରେ କୁଇନ୍ସଲାଣ୍ଡ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ଆଇସିସି ପକ୍ଷରୁ ଟ୍ୱିଟ୍ କରାଯାଇ ଶୋକ ପ୍ରକଟ କରାଯାଇଛି ଓ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି।

ସାଇମଣ୍ଡଙ୍କ ପରଲୋକରେ ବହୁ କ୍ରିକେଟ୍ର ଦୁଃଖ ପ୍ରକାଶ କରିଛନ୍ତି।ସାଇମଣ୍ଡସ ଅଷ୍ଟ୍ରେଲିଆ ପକ୍ଷରୁ ୨୬ଟି ଟେଷ୍ଟ ଖେଳିଥିଲେ। ଟେଷ୍ଟ୍ ମ୍ୟାଚ୍ରେ ସେ ୧୪୬୨ ରନ୍ କରିଥିଲେ, ଯେଉଁଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳି ୫,୦୮୮ ରନ୍ ସଂଗ୍ରହ କରିଥିଲେ। ଏଥି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି। ଦଳ ପକ୍ଷରୁ ସେ ୧୪ଟି ଟି-ଟ୍ୱେଣ୍ଟି ଖେଳି ୩୩୭ ରନ୍ କରିଥିଲେ। ସାଇମଣ୍ଡସ ଆଇପିଏଲ୍ ମଧ୍ୟ ଖେଳିଥିଲେ । ଆଇପିଏଲରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।

Leave a Reply

Your email address will not be published. Required fields are marked *