ସ୍ୱାସ୍ଥ୍ୟକର ଯୋଜନା ବନାମ ବାସ୍ତବତା

ଭୁବନେଶ୍ୱର (ଦ କୁଇଭର): ଦୀର୍ଘ ୨୨ ବର୍ଷର ନବୀନ ସରକାର । ବିକାଶ ଲମ୍ବା ତାଲିକା ଚଢୁଛି । ସ୍ୱାସ୍ଥ୍ୟସେବା ଓ ପୁଷ୍ଟିକର ଖାଦ୍ୟ ବାଣ୍ଟିବାରେ ସରକାର ପ୍ରତ୍ୟେକ ବର୍ଷ ଅନ୍ୟୁନ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନି କି ପୁଷ୍ଟିକର ଖାଦ୍ୟ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଟଙ୍କିକିଆ ଚାଉଳ ଯୋଗାଇ ଦେଇ ସରକାର ସମସ୍ତଙ୍କୁ କ୍ଷ୍ୟୁଧାମୁକ୍ତ କରିଥିବା ସରକାର କହୁଛନ୍ତି । ସେଇଟା ତାଙ୍କର ବାହାଦୁରୀର ଟ୍ରେଡମାର୍କ । କିନ୍ତୁ ବାସ୍ତବରେ ଲୋକେ କେବଳ ଭାତ ଗିଳୁଛନ୍ତି । ମଣିଷ ଶରୀର ପାଇଁ ଆବଶ୍ୟକ ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ୍ ଓ ଆଇରନ । ଆଦି ଶରୀରକୁ ମିଳୁନି । ଯଦିଓ ସରକାର ଏଥିପାଇଁ ଭିନ୍ନ ଯୋଜନା କରିଛନ୍ତି, ଆଉ କହୁଛନ୍ତି ଆମେ ଆଇରନ ବଟିକା, ଛତୁଆ ଓ ଅଣ୍ଡା ଦେଉଛୁ, କିନ୍ତୁ ତାର ମାନ ଏତେ ନିମ୍ନ ଯେ, ତାହା ମଣିଷ ଶରୀର ଆବଶ୍ୟକ ଭିଟାମିନକୁ ପୂରଣ କରିପାରୁନାହିଁ । ଆସନ୍ତୁ ଦେଖିବା କ’ଣ କହୁଛି ଏନଏଫଏଚଏସ ସର୍ଭେ ରିପୋର୍ଟ-୫ରେ ।

ଏନଏଫଏଚଏସର ସର୍ଭେ ରିପୋର୍ଟ-୫ ଅନୁଯାୟୀ, ଓଡ଼ିଶାର ଗ୍ରମାଞ୍ଚଳରେ ୬୪.୨ ପ୍ରତିଶତ ଛୋଟପିଲା ରକ୍ତହୀନତାରେ ଶିକାର ହେଉଛନ୍ତି । ଯାହା ୨୦୧୫-୧୬ରେ ୪୪.୬ ପ୍ରତିଶତ ଥିଲା । ସେହିପରି ଗ୍ରାମାଞ୍ଚଳରେ ୧୫ରୁ ୪୯ ବର୍ଷିୟ ୬୪.୩ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଯାହା ୨୦୧୫-୧୬ରେ ୫୧ ପ୍ରତିଶତ ଥିଲା । ସହରାଞ୍ଚଳ ଅପେକ୍ଷା ଗ୍ରାମଞ୍ଚଳରେ ଲୋକେ ରକ୍ତହୀନତା ଭଳି ଅନ୍ୟାନ୍ୟ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି । ପ୍ରତିବର୍ଷ ଲୋକମାନଙ୍କର ସ୍ୱାସ୍ଥ୍ୟର ବିକାଶ ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ୨୦୧୫-୧୬ ମସିହା ବଜେଟ୍ରେ ସରକାର ୪ ହଜାର ୧୬୦ କୋଟି ଟଙ୍କା ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ ହୋଇଥିଲା । ସେହିପରି ୨୦୨୨-୨୩ ପାଇଁ ୩ ହଜାର ୫୬୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କିନ୍ତୁ ତାହା ବାସ୍ତବ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଗାଁ ଗହଳିରେ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ଯେ, ଲୋକମାନେ ଦୟନୀୟ ସ୍ଥିତିରେ ଜୀବନଯାପନ କରୁଛନ୍ତି । କେବଳ ଟଙ୍କିକିଆ ଚାଉଳ ଦେଇଦେଲେ ହେବନି ମହିଳା ଓ ଶିଶୁମାନଙ୍କର ଉନ୍ନତି ଦିଗରେ ମଧ୍ୟ ଚିନ୍ତା କରିବା ଦରକାର । ମହିଳା ଓ ଶିଶୁ ବିକାଶ ବିଭାଗ ଛତୁଆ, ଅଣ୍ଡା ଓ ଆଇରନ ଟାବଲେଟ୍ ଯୋଗାଇଦେଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁନି । ଯାହା ଏହି ରିପୋର୍ଟ ସ୍ପଷ୍ଟ କରୁଛି।

ଗୋଟିଏ ପଟେ ସରକାର ଟଙ୍କିକିଆ ଚାଉଳ ଦେଇ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଏନଏଫଏଚଏସର ରିପୋର୍ଟ ସରକାରଙ୍କ ଏହି ବାସ୍ତବ ଚିତ୍ର ପଦାରେ ପକାଇଛି ।

Leave a Reply

Your email address will not be published. Required fields are marked *