‘ବିଜେପିକୁ ଭୋଟ୍ ଦିଅ: ରାଜ୍ୟରେ ଶସ୍ତା ହେବ ମଦ’

(ଦ କୁଇଭର): ସାରା ଦେଶରେ ଜମୁଛି ନିର୍ବାଚନୀ ପ୍ରଚାର । ଭୋଟ୍ ହାତେଇବା ପାଇଁ ସବୁ ଦଳର ନେତା ଲାଗିପଡ଼ିଛନ୍ତି । ଗାଁ ଗହଳିରେ ଲାଗିଲାଣି ନେତାଙ୍କ ଭିଡ଼ । ଭୋଟ୍ ହାତେଇବା ପାଇଁ ନେତାମାନେ ଦେଉଛନ୍ତି ପ୍ରତିଶ୍ରୁତିର ପାହାଡ଼ । ଭୋଟରମାନଙ୍କୁ ଦେଉଛନ୍ତି ଅଜବ ଅଜବ ପ୍ରତିଶ୍ରୁତି । ଏହିପରି ଏକ ଅଜବ ପ୍ରତିଶ୍ରୁତି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଏକ ନିର୍ବାଚନୀ ସଭାରେ । ଜଣେ ବିଜେପି ନେତା ଦେଇଛନ୍ତି ଏଭଳି ଏକ ଅଜବ ପ୍ରତିଶ୍ରୁତି ।

ଆନ୍ଧ୍ରପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ କହିଛନ୍ତି, ଆପଣ ବିଜେପିକୁ ଭୋଟ୍ ଦିଅନ୍ତୁ, ମୁଁ ଆପଣଙ୍କୁ ୭୦ ଟଙ୍କାରେ ମଦ ଯୋଗାଇଦେବି । ମଙ୍ଗଳବାର ବିଜୟୱାଡ଼ାଠାରେ ଆୟୋଜିତ ହୋଇଥିବା ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ତୁମେମାନେ ବିଜେପିକୁ ଏକ କୋଟି ଭୋଟ୍ ଦିଅନ୍ତୁ, ଆମେ ତୁମକୁ ୭୦ ଟଙ୍କାରେ ମଦ ଯୋଗାଇ ଦେବୁ । ଆଗାମୀ ଦିନରେ ଯଦି ଆମର ରାଜସ୍ୱ ବଢିବ ତେବେ ଏହି ରେଟ୍ ଆହୁରି କମାଇ ଦିଆଯିବ । ମାତ୍ର ୫୦ ଟଙ୍କାରେ ମଦ ଯୋଗାଇ ଦିଆଯିବ ।

ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଅଧିକ ମୂଲ୍ୟ ଦେଇ ନିମ୍ନ ମାନର ମଦ ପିଉଛନ୍ତି । ତେଣୁ ଭଲ ମଦ ପିଇବାକୁ ହେଲେ ୨୦୨୪ ସାଧାରଣ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେବାକୁ ସେ ଅନୁରୋଧ କରିଛନ୍ତି । ତେବେ ବିଜେପି ନେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *