ଶୀତଦିନେ ଖାଆନ୍ତୁ ଚଣା-ଶାଗ: ପାଇବେ ଏହି ଲାଭ ?

(ଦ କୁଇଭର): ଆଉ ସେକାଳ ନାହିଁ । ଦିନ ଥିଲା ଚଣା ଗରିବର ଖାଦ୍ୟ ଭାବେ ଗଣା ହେଉଥିଲା। ଯେଉଁମାନେ ମୁଗ, ହରଡ଼, ବୁଟ ଡାଲି ଇତ୍ୟାଦି କିଣି ଖାଇ ପାରୁନଥିଲେ ସେମାନେ ଶସ୍ତା ହେତୁ ଚଣା ଡାଲି ଖାଉଥିଲେ। ବର୍ଷାଦିନେ ମଟର, ବୁଟ, ବାଦାମ ଭଜା କିଣି ଖାଇ ପାରୁନଥିବା ଲୋକମାନେ ଚଣା, ଶିମ୍ବ ଓ କୋଳଥ ମଞ୍ଜି ଭଜା ଖାଇ କାମ ଚଳେଇ ଦେଉଥିଲେ। ଏମିତି ଥିଲା ଶସ୍ତା ମହଙ୍ଗା ଭିତ୍ତିରେ ଚଣା ଖାଇବାର ସଭିଙ୍କର ଅଭ୍ୟାସ।

ଏବେ ଆସିବା ଓକିଲାତି ବୃତ୍ତି ସହିତ ଚଣାଖିଆର ସମ୍ପର୍କ । ପିଲାବେଳୁ ଅନେକ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଚଣାଖିଆ ଓକିଲ । ଓକିଲାତି ବୃତ୍ତି ସହିତ ଚଣାର ପୁଣି କି ସମ୍ପର୍କ ? ଅତି ନିବିଡ଼ ସମ୍ପର୍କ । ଆଦ୍ୟ ଓକିଲାତି ବା ବୃତ୍ତି ଆରମ୍ଭ କରୁଥିବା ସମୟରେ ସମସ୍ତେ ଚଣା ଖିଆ ଓକିଲ ବୋଲି କହି ଥଟ୍ଟା କରନ୍ତି । ସତେ ଯେମିତି ଚଣା ଏକ ନିକୃଷ୍ଟ ଖାଦ୍ୟ ବିଶେଷ । କିନ୍ତୁ ଥରେ ଜଣେ ଭଲ ଓକିଲ ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ଦେବାପରେ ଆଉ କେହି ଚଣା ଖିଆ କଥା କହିବାକୁ ସାହସ କରନ୍ତିନାହିଁ । ଜନ ମାନସରେ ଏପରି ଆଦୃତିର କାରଣ ହେଉଛି ଏତେ ଶସ୍ତା ଦ୍ରବ୍ୟ ଖାଉଥିବା ଓକିଲଟି ମକଦ୍ଦମାଟିକୁ ଠିକ୍ ନ୍ୟାୟ ଦେଇ ପାରିବ ତ ?

ଗାଁକୁ ଯିବା ସମୟରେ ବାଟରେ ଜଣେ ନିଶୁଆ ମଉସା ଚଣା ଶାଗ ବିକୁ ଥିବାର ଦେଖିବାକୁ ମିଳିଲା । ଯିଏକି ନିଜ ବିଲରେ ବୁଣିଥିବା ଚଣା-ଶାଗ ଆଣି ବିକୁଥିଲେ କିଲୋପ୍ରତି ୧୪୦ ଟଙ୍କା ଦରରେ । ଜଣେ ଭାରି ଖୁସିରେ ଏକ କିଲୋ କିଣିଲେ। ଚଣା-ଶାଗ ବିକୁଥିବା ସେ ମଉସାଙ୍କୁ ପଚାରିବାରୁ ଶାଗର ଦାମ ଏତେ ଅଧିକ କାହିଁକି ? ସେ କହିଲେ ବାପାରେ ଚଣା ଆଉ କିଏ କଣ ବିଲରେ ଛାଟୁଛନ୍ତି ? ମୁଁ ଅଭାବି ହେତୁ ଚଣା ଦୁଇଟି କିଆରିରେ ଛାଟି ଚଣା-ଶାଗ ଆଣି ବିକୁଛି । ଯଦି ସମସ୍ତେ ନିଜ ନିଜ ବିଲରେ ଚଣା ଛାଟନ୍ତେ ତେବେ ଏତେ ଦାମ କାହିଁକି ହୁଅନ୍ତା ? ଆଉ ମୁଁ କୁଆଡେ ଏଠି ବସି ଶାଗ ବିକୁଥାନ୍ତି ? ସବୁଠାରୁ ରୋଚକ କଥାଟି ମଉସା କହିଥିଲେ, ଯେ ତୋ ଭଳି କାରରେ ଯିବା ଆସିବା କରୁଥିବା ଲୋକମାନେ ହିଁ ମୋର ବଡ ଗରାଖ, ଅର୍ଥାତ୍ ଚଣା ବା ଚଣା-ଶାଗ ଆଉ ଗରିବ ଲୋକଙ୍କର ଖାଦ୍ୟ ହୋଇ ନାହିଁ । ଶହେ, ଦେଢଶହ ଟଙ୍କା ଦେଇ ସାଧାରଣ ଲୋକଟିଏ ଆଉ ଚଣା-ଶାଗ କୋଉଠୁ ଖାଇବ ? ନବୀନ ସରକାର ଦେଉଥିବା ମାଗଣା ଚାଉଳ, ଗହମକୁ ପରିବାର ଯାକ ଖାଇକି ବଳୁଛି ଯେ ବିକା ହେଉଛି । ସୁତରାଂ କହିବାର ତାତ୍ପର‌୍ୟ୍ୟ ଏଇଆ ଯେ, ଚଣା ଆଉ ଗରିବର ଖାଦ୍ୟ ହୋଇକି ନାହିଁ । ତେଣୁ ଆଉ ଓକିଲଙ୍କୁ ଚଣା ଖିଆ ଓକିଲ ବୋଲି କେହି ବୋଧେ ଆଉ କହିବେ ନାହିଁ।

ଚଣା ସାଗର ଅନେକ ଉପାଦେୟତା ମଧ୍ୟ ରହିଛି । ଖାଦ୍ୟରେ ଚଣା-ଶାଗ ମିଶାଇ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ସବୁଜ ଶାଗ ଭିତରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଯାହା ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବରେ କରିଥାଏ । ଏହାସହ ଚଣା ଶାଗ ଓଜନ କମାଇବାରେ ମଧ୍ୟ ସାହଯ୍ୟ କରେ । ଏଥିରେ କ୍ୟାଲେରୀ ପରିମାଣ କମ୍ ଥିବାରୁ ଏହା ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଲଢିବାର ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ଏହାକୁ ଖାଇବା ଦ୍ୱାରା, ଥଣ୍ଡା, ଜ୍ୱର ଓ ସଂକ୍ରମଣ ଆଦି ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *