ଶିକ୍ଷିତ ମହିଳାଙ୍କୁ ଚାକିରି କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ବମ୍ୱେ ହାଇକୋର୍ଟ

(ଦ କୁଇଭର ବ୍ୟୁରୋ): ଏକ ଛାଡପତ୍ର ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ଜଣେ ମହିଳା ପାଠପଢି ଶିକ୍ଷିତ ହୁଅନ୍ତି, ତେବେ ତାଙ୍କୁ ଚାକିରି କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ପୂର୍ବରୁ ଫ୍ୟାମିଲି କୋର୍ଟ ଏକ ଛାଡ଼ପତ୍ର ମାମଲାରେ ପତ୍ନୀଙ୍କ ଖର୍ଚ୍ଚ ଭରଣା କରିବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଯାଚିକାର ଶୁଣାଣି ବେଳେ ଏପରି କହିଛନ୍ତି ।

ବମ୍ବେ ହାଇକୋର୍ଟ ଜଷ୍ଟିସ୍ ଭାରତୀ ଡାଙ୍ଗରେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପୁଣେର ପରିବାର କୋର୍ଟ ଦେଇଥିବା ନିଷ୍ପତିର ପୂନର୍ବିଚାର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ଜଣେ ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ଚାକିରି କରିବେ କିମ୍ବା ଘରେ ରହିବେ ତାହା ଚୟନ କରିବାର ଅଧିକାର ତାଙ୍କର ଅଛି । ତାଙ୍କୁ ଚାକିରି କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।

ଜଜ୍ କହିଥିଲେ ଯେ ଆମ ସମାଜ ବର୍ତ୍ତମାନ ପର୍ୟ୍ୟନ୍ତ ବି ସ୍ୱୀକାର କରିନି ଯେ ଘରର ମହିଳା ପରିବାରରେ ଆର୍ଥିକ ଯୋଗଦାନ କରିବାକୁ ବାଧ୍ୟ ହେବେ । କାମ କରିବା ମହିଳାଙ୍କ ନିଜ ପସନ୍ଦ । ସେମାନଙ୍କୁ କାମ କରିବାକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ଯେ, ସେମାନଙ୍କ ପାଖରେ ଗ୍ରାଜୁଏଟ୍ ଡିଗ୍ରୀ ରହିଛି । ଏହାର ଅର୍ଥ ଏପରି ନୁହେଁ ସେମାନେ ଘରେ ବସି ରହିପାରିବେନି ।

ଜଷ୍ଟିସ୍ ଡାଙ୍ଗରେ ଏହି ମାମଲାକୁ ନେଇ କହିଥିଲେ ଯେ ଆଜି ମୁଁ ଏଇ କୋର୍ଟର ଜଜ୍ । କାଲି ଧରିନିଅନ୍ତୁ ମୁଁ ଘରେ ବସିରହିବି । କ’ଣ ଆପଣ ସେତେବେଳେ କହିବେ ମୁଁ ଜଜ୍ ହେବାର ଯୋଗ୍ୟତା ରଖିଛି ବୋଲି ଘରେ ବସି ରହିପାରିବି ନାହିଁ ।

ସୂଚନାନୁସାରେ ଏହି କେସକୁ ନେଇ ଆଇନଜୀବୀ କହିଥିଲେ ଯେ ସ୍ତ୍ରୀ ଜଣକ ସ୍ନାତକ ଏବଂ ବଞ୍ଚିବା ପାଇଁ ଏକ ଚାକିରି ନେବାକୁ ସକ୍ଷମ ବୋଲି । ସ୍ତ୍ରୀଙ୍କୁ ମାସିକ ୫ହଜାର ଟଙ୍କା ଏବଂ ୧୩ ବର୍ଷର ଝିଅଙ୍କର ରକ୍ଷଣାବେକ୍ଷଣ ପାଇଁ ୭ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିବା ପୁଣେ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟରେ ପହଞ୍ଚିଛନ୍ତି । ଆସନ୍ତା ସପ୍ତାହରେ ହାଇକୋର୍ଟରେ ଏହି ମାମଲାର ପୁଣି ଶୁଣାଣି ହୋଇପାରେ ବୋଲି ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *