ପ୍ରଜାପତିରେ ଚକାଆଖି

(ଦ କୁଇଭର ବ୍ୟୁରୋ): ପ୍ରଜାପତିରେ ଚକାଆଖି, ପୂରା ଶ୍ରୀମୁଖ ଦିଶୁଛି । ଲାଗୁଛି ସତେ ଯେପରି ମହାବାହୁ ଚକାଆଖି ମେଲି ଦେଖୁଛନ୍ତି । ଏପରି ଭାବାବେଗ ହେଉଛି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର । ଶୁକ୍ରବାର ସକାଳେ ତାଙ୍କ ଘର ଭିତରେ ଏକ ପ୍ରଜାପତି ବସିଥିବା ଦେଖିଥିଲେ ସେ । ପ୍ରଜାପତିର ସୃଷ୍ଟି ପ୍ରାକୃତିକ । ହେଲେ ସବୁ ପ୍ରଜାପତିଙ୍କ ଠାରେ ମହାବାହୁଙ୍କ ଚକାଆଖି ନଥାଏ । କିଛି ପ୍ରଜାପତିଙ୍କ ନିକଟରେ ଏହି ଚିତ୍ର ଦେଖାଯାଏ ।

ଏପରି ଏକ ପ୍ରଜାପତି ପ୍ରିୟଦର୍ଶୀଙ୍କ ଘରେ ବସିଥିବା ସେ ଦେଖିଥିଲେ । ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ପ୍ରିୟଦର୍ଶୀଙ୍କର ମହାପ୍ରଭୁଙ୍କ ପ୍ରତି ବେଶ ଆବେଗ ରହିଛି । ପୁରୀରୁ ତାଙ୍କର ଚାକିରୀ କ୍ୟାରିୟର ଆରମ୍ଭ କରିଥିଲେ ସେ । ଆରମ୍ଭରୁ ସେ ରଥଯାତ୍ରା ଓ ଶ୍ରୀମନ୍ଦିର ରୀତିନୀତି ସହ ସେ ସମ୍ପୃକ୍ତ । ଏସଡିପିଓ ଭାବେ ଚାକିରୀ ଆରମ୍ଭ କରିଥିବା ପ୍ରିୟଦର୍ଶୀ ୭ବର୍ଷ କାଳ ଏସପି ଭାବେ ମହାପ୍ରଭୁଙ୍କ ରୀତିନୀତି ପରିଚାଳନାରେ ସାମିଲ ରହିଥିଲେ । ଏହାପରେ ବି ସେ ରଥଯାତ୍ରା, ନବକଳେବର ଓ ଅନ୍ୟାନ୍ୟ ପ୍ରମୁଖ ଯାତ୍ରାରେ ସେ ଦାୟିତ୍ୱ ନେଇ ନିର୍ବାହ କରିଛନ୍ତି ।

ଶ୍ରୀମନ୍ଦିରରେ ଭୋଗ ବିବାଦ ହେଉ କି ସ୍ନାନଯାତ୍ରାରେ ବେଶ ବିବାଦ ବା ରଥଯାତ୍ରାରେ ପାଉଣା ବିବାଦ, ସବୁବେଳେ ସୌମେନ୍ଦ୍ରଙ୍କୁ ହିଁ ଖୋଜା ପଡ଼ିଥାଏ । ସେବାୟତ ମାନଙ୍କୁ ତାଙ୍କରି ଭାଷାରେ ବୁଝାଇ ମହାପ୍ରଭୁଙ୍କ ରୀତିନୀତିକୁ ନିର୍ବାହ କରିବାରେ ସେ ବେଶ ସିଦ୍ଧହସ୍ତ । ଚାକିରୀ କାଳରୁ ସେ ପ୍ରତିଥର ରଥଯାତ୍ରାରେ ଦାୟିତ୍ୱ ନେଉଥିଲେ । ରଥଯାତ୍ରା ମାନେ ସୌମେନ୍ଦ୍ର ଆଗ ଖୋଜା ପଡ଼ନ୍ତି । ବରିଷ୍ଠ ପୋଲିସ ଅଧିକାରୀ ବା ପ୍ରଶାସନିକ ଅଧିକାରୀ କିମ୍ବା ରାଜ୍ୟ ସରକାର ସମସ୍ତେ ତାଙ୍କ ଉପରେ ଭରସା କରିଥାନ୍ତି ।

ହେଲେ ଏଥର ସେ ପୋଲିସ କମିଶନର ଭାବେ ନିଯୁକ୍ତି ହୋଇଛନ୍ତି । ରଥଯାତ୍ରା ଦିନ ଭୁବନେଶ୍ୱର ଓ କଟକରେ ଅନେକ ଯାତ୍ରା ରହିଛି । ଏଠାରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତାଙ୍କୁ ସରକାର ପୁରୀ ଦାୟିତ୍ୱ ଦେବେ କି ନାହିଁ ଜଣାନାହିଁ । ହେଲେ ମହାପ୍ରଭୁଙ୍କ ପ୍ରତି ତାଙ୍କର ଭାବାବେଗ ଯୋଗୁ ଏପରି ପ୍ରଜାପତି ତାଙ୍କ ଘରକୁ ଆସି ଦର୍ଶନ ଦେଇଥିବା ସେ ଅନୁଭବ କରିଛନ୍ତି ।

କଳାଠାକୁରଙ୍କ ପାଇଁ ଭକ୍ତର ଭାବନା ସବୁବେଳେ ଭିନ୍ନ ରହିଥାଏ । ସେ ଗଜପତି ମହାରାଜା ହୁଅନ୍ତୁ କି ବଡ଼ଦାଣ୍ଡର ସାଧାରଣ ଲୋକଟିଏ, ସମସ୍ତଙ୍କ ଭାବନା ଭିନ୍ନ । ଭକ୍ତ ଓ ଭାବନା ସର୍ବଦା ମୂଲ୍ୟବାନ ।

Leave a Reply

Your email address will not be published. Required fields are marked *