ସ୍ତବ୍ଧ ଓଲିଉଡ ଜଗତ: ପରଲୋକରେ ରାଇମୋହନ ପରିଡା

ଭୁବନେଶ୍ୱର(ଦ କୁଇଭର): ଆଉ ସୁଭିବନି ଡାଇଲଗ୍, ଆଉ ପରଦାରେ ଦେଖିବାକୁ ମିଳିବନି ଏହି ଲୋକପ୍ରିୟ କଳାକାରଙ୍କ ଚେହେରା । କାରଣ ଆଉ ନାହାନ୍ତି ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା । ତାଙ୍କ ପରଲୋକରେ ଓଲିଉଡ ଜଗତ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି । ଓଡ଼ିଶା ସିନେ ଜଗତର ଦୁର୍ଦ୍ଦନ୍ତ ଖଳନାୟକ ଭାବେ ତାଙ୍କୁ କିଏ ବା ନଜାଣେ । ତାଙ୍କର ଭିଲିଆନ୍ ଡାଇଲଗ ହିଁ ତାଙ୍କର ଶ୍ରେଷ୍ଠ ପରିଚୟ । ତାଙ୍କ ଅଭିନୟ ହେଉ ବା ପିଚରେ ତାଙ୍କ ଡାଏଲଗ ଉଚ୍ଚାରଣ ହେଉ, ସବୁ ଦୃଷ୍ଟିରୁ ସେ ଥିଲେ ଭିନ୍ନ । ଚଳଚିତ୍ର ହେଉ ବା ଯାତ୍ରା ଜଗତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳେ । ଏହାରି ଭିତରେ ତାଙ୍କର ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଉଭୟ ଯାତ୍ରା ଓ ସିନେତାମାରେ ରାଇମୋହନ ପରିଡା ଜଣେ ଚର୍ଚ୍ଚିତ ଖଳନାୟକ ରୂପରେ ଦର୍ଶକଙ୍କ ହଦୃଦୟକୁ ଛୁଇଁ ପାରିଥିଲେ । ୯୦ରୁ ଅଧିକ ଓଡ଼ିଆ ସିନେମା ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି । ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରା ପ୍ୟାଣ୍ଡେଲରେ ମଧ୍ୟ ତାଙ୍କର ଦମଦାର ଡାଏଲଗ ସମସ୍ତ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ବିଶେଷକରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡିଯାଇଛନ୍ତି ସ୍ୱତନ୍ତ୍ର ଛାପ । ତାଙ୍କର ଏମିତି ଅନେକ ଡାଏଲଗ ଅଛି, ଯାହାକୁ ଏବେ ବି ଦର୍ଶକ ବାରମ୍ବାର ଶୁଣିବାକୁ ଭଲ ପାଆନ୍ତି ।

୧୯୮୫ରେ ରାଇମୋହନ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ସେ ସାଗର ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରରେ ଅଭିନୟ କରିଥିଲେ । ସେ ସତମିଛ, ରାମଲକ୍ଷ୍ମଣ, ଆସିବୁ କେବେ ସାଜି ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀସୀତା, ଦେ ମା’ ଶକ୍ତି ଦେ, ଜୟ ଶ୍ରୀରାମ, ତୁ ଥିଲେ ମୋ ଡର କାହାକୁ, ରଣଭୂମି ଓ ମିଷ୍ଟର ମଜନୁ ଭଳି ଅନେକ ଓଡ଼ିଆ ଚଳଚିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିପାରିଛନ୍ତି । ୨୦୦୨ ମସିହାରେ ସେ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ଯାତ୍ରା ପ୍ୟାଣ୍ଡେଲରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ହାଉସଫୁଲ୍ ହେଉଥିଲା । ଏହାସହ ସେ ଓଡ଼ିଆ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ତାଙ୍କର ଅକାଳ ବିୟୋଗ ସମ୍ପୂର୍ଣ୍ଣ ଓଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି ।

Leave a Reply

Your email address will not be published. Required fields are marked *