କଟକ (ଦ କୁଇଭର): ରାଜ୍ୟରେ ବିପର୍ଯ୍ୟସ୍ତ କି ଆଇନ ଶୃଙ୍ଖଳା ବ୍ୟବସ୍ଥା? କାହିଁକି ପୋଲିସ ଉପରେ ଜନତାଙ୍କ ଭରଷା ତୁଟୁଛି? କାହିଁକି ବାରମ୍ବାର ଏଭଳି ଘଟଣା ଘଟୁଛି? କାହିଁକି ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡ଼ୁଛନ୍ତି ଜନତା? କାହିଁକି ନ୍ୟାୟ ନ ପାଇଁ ବାରମ୍ବାର ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଉଛନ୍ତି? ଏଥିପାଇଁ ଦାୟୀ କିଏ? ପୋଲିସ ବ୍ୟବସ୍ଥାକୁ ବିଶ୍ୱାସଭାଜନ କରିବା ପାଇଁ ସରକାର ଏହାକୁ ମୋ ସରକାରରେ ଅର୍ନ୍ତଭୁକ୍ତ କରିଥିଲେ । କିନ୍ତୁ ବିଶ୍ୱାସଭାଜନ ହେବ କ’ଣ? ବରଂ ଲୋକଙ୍କ ଭରଷା ଦିନକୁ ଦିନ ତୁଟି ତୁଟି ଗଲାଣି । ସରକାରଙ୍କ ଏତେ ସବୁ ପଦକ୍ଷେପ ପରେ ବି କାହିଁକି ଏ ଅଘଟଣ? ଏଥିପାଇଁ ପୋଲିସ ଦାୟୀ ହେବ କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଦିନକୁ ଦିନ ଜୀବନ ଜନ୍ତ୍ରଣା ଠାରୁ ବଳିଯାଉଛି ପୋଲିସର ନିରବତା । ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜୀବନ ହାରିଦେବା ଭଳି ଚରମ ନିଷ୍ପତ୍ତି ଆପଣାଉଛନ୍ତି ଜନତା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ କିଶନ ନଗର ଥାନା ପରିସରରେ । ପାରିବାରିକ କଳହକୁ ନେଇ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡୁଥିଲେ କଟକ କିଶନ ନଗର ଥାନା ଅନ୍ତର୍ଗତ ଇଷାଣୀ ବରମପୁରର ଗୁଣନିଧି ବିଷୋୟୀ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଗତକାଲି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲାଗାଇଦେଇଥିଲେ । ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଗତକାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଗୁଣନିଧି ବିଷୋୟୀ ଆଜି ଜୀବନ ଯୁଦ୍ଧରେ । ପୋଲିସ ଉପରୁ ସବୁ ଆସ୍ଥା ତୁଟାଇ ନିଜେ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି ଗୁଣନିଧି ।

ବେକଳ ଏହି ଗୋଟିଏ ଘଟଣା ନୁହେଁ, ୨୦୨୦ ଫେବୃଆରୀ ୧୨ରେ ବ୍ରହ୍ମପୁର ଏସପି ଅଫିସ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ଲେଖିଙ୍କ ଆତ୍ମାହୂତି ଘଟଣା, ୨୦୨୨ ଜାନୁଆରୀ ୨୦ରେ ଗଞ୍ଜାମ ଗୋଳନ୍ଥରା ଥାନା ଆଗରେ ସନ୍ତୋଷ ସାମନ୍ତରା ଓ ମେ ୧୪ ତାରିଖରେ ଗଞ୍ଜାମ ଏସପି ଅଫିସ ସାମ୍ନାରେ ବାଦଲ ସାହୁ ନ୍ୟାୟ ପାଇଁ ଆତ୍ମାହୂତି ଉଦ୍ୟମ କରିଥିଲେ । ଏମାନେ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡି ଦୌଡି ଶେଷରେ ନିରାଶ ହେବାପରେ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଇଥିଲେ । ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଘଟିଚାଲିଛି ଏହି ଘଟଣା? ନ୍ୟାୟ ଦେବାରେ ବିଫଳ ହେଉଛି କି ପୋଲିସ? ଏଭଳି କାର୍ଯ୍ୟ ପାଇଁ ପୋଲିସ ନିଜେ ଉତ୍ତରଦାୟୀ ହେବ କି? ଏପରି ଅନେକ ପ୍ରଶ୍ନ ଏବେ ପୋଲିସର ନ୍ୟାୟିକ ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *