ଅଲବିଦା ୨୦୨୧: ନଜର ପକାନ୍ତୁ କିଛି ଚର୍ଚ୍ଚିତ ଖବର ଉପରେ…

(ଦ କୁଇଭର): ଆଉ କିଛି ଘଣ୍ଟାର ଅପେକ୍ଷା । ସରିଯିବ ୨୦୨୧ । ବଦଳିବ କ୍ୟାଲେଣ୍ଡର । କ୍ୟାଲେଣ୍ଡର ସହ ବଦଳିଯିବ ପୁରୁଣା ବର୍ଷର ଘଟଣା, ଦୁର୍ଘଟଣା ଓ ସ୍କୃତି । ନୂଆ ଆଶା, ଆକାଂକ୍ଷା ନେଇ ଆରମ୍ଭ ହେବ ନୂଆବର୍ଷ ୨୦୨୨ । ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣୁ, ଏହି ଆଶାରେ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ବିଶ୍ୱବାସୀ । କିନ୍ତୁ ପୁରୁଣା ବର୍ଷର ଏମିତି କିଛି ଘଟଣା ଯାହା କେବେବି ଭୂଲି ହେବ ନାହିଁ । ୨୦୨୧ର କିଛି ଘଟଣା ଯାହା ଇତିହାସରେ ଲିପିବଦ୍ଦ ହୋଇ ରହିବ । ରାଜନୀତି ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ୨୦୨୧ ବର୍ଷ ବହୁ ଗୁରୁତ୍ୱ ବହନ କରେ । ତେବେ ଆସନ୍ତୁ ଜାଣିବା ୨୦୨୧ର କିଛି ପ୍ରମୁଖ ଘଟଣାବଳୀ ଉପରେ, ଯାହା କେବେ ଭୂଲି ହେବ ନାହିଁ ।

• ଗଣତନ୍ତ୍ର ଦିବସରେ କୃଷକମାନଙ୍କ ହିଂସା
କେନ୍ଦ୍ରର ୩ଟି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ବୋର୍ଡରରେ ଆନ୍ଦୋଳନ କରୁଥିବା କୃଷକ ସଙ୍ଗଠନ ଜାନୁଆରୀ ୨୬ ତାରିଖ ଦିନ ଟ୍ରାକ୍ଟର ରାଲି କରିଥିଲେ । ଶେଷରେ କୃଷକଙ୍କ ଆନ୍ଦୋଳନ ଉଗ୍ର ରୂପ ନେଇ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା । ଆନ୍ଦୋଳନକାରୀମାନେ ପୋଲିସ ବ୍ୟାରିକେଡକୁ ଭାଙ୍ଗି ଲାଲକିଲ୍ଲା ଭିତରେ ପ୍ରବେଶ କରିଥିଲେ । ଏବଂ ଲାଲକିଳ୍ଲାର ପ୍ରାଚୀର ଉପରେ ଚଢି ଶିଖମାନଙ୍କ ପତାକା ଲଗାଇଥିଲେ ।

• କରୋନାର ଦ୍ୱିତୀୟ ଲହର ଓ ଅମ୍ଳଜାନ ସଙ୍କଟ
୨୦୨୧ରେ କରୋନା ର ଦ୍ୱିତୀୟ ଲହର ସମଗ୍ର ଜୀବଜଗତକୁ ଅସ୍ତବ୍ୟସ୍ତ କରିପକାଇଥିଲା । ୨୦୨୧ରେ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଫଳରେ ହସ୍ପିଟାଲ ଗୁଡ଼ିକରେ ଅକ୍ସିଙ୍ରେ ଘୋର ସଙ୍କଟ ଦେଖିବାକୁ ମିଳିଥିଲା । ଫଳରେ ଏକପ୍ରକାର ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା ।

• ଚର୍ଚ୍ଚାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ସବୁଠୁ ଚର୍ଚ୍ଚାରେ ଥିଲା । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ଗଡ଼ ନନ୍ଦିଗ୍ରାମ ଆସନରେ ନେତୃତ୍ୱ ନେବାରେ ସଫଳ ହୋଇଥିଲା ସତ, କିନ୍ତୁ ସେଠାରେ ମମତା ବାନାର୍ଜୀଙ୍କୁ ସରକାର ଗଠନ କରିବାରେ ସଫଳ ହୋଇନଥିଲା ବିଜେପି । ତୃଣମୃଳ କଂଗ୍ରେସ ୨୧୩ ସିଟରେ ବିଜୟ ଲାଭ କରି ପୁଣି ଥରେ କ୍ଷମତାକୁ ଆସିଥିଲା ।

• ଦୁନିଆକୁ ଅଲବିଦା କହିଥିଲେ ଦିଲ୍ଲିପ୍ କୁମାର
୭ ଜୁଲାଇ ୨୦୨୧ରେ ବଲିଉଡ଼ର ବର୍ଷିୟାନ ଅଭିନେତା ଦିଲ୍ଲିପ କୁମାରଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଥିଲା । ଦିଲ୍ଲିପ୍ କୁମାର ଅନେକ ରୋଗରେ ଆକ୍ରାନ୍ତ ଥିଲେ । ଶେଷରେ ହିଂଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦିଲ୍ଲିପ୍ କୁମାରଙ୍କ ଦେହାନ୍ତରେ ତାଙ୍କ ପତ୍ନି ସାୟୋରା ବାନୋ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ।

• ଭାରତ ପାଇଁ ସୁନା ଜିତିଥିଲେ ନିରୋଜ ଚୋପ୍ରା
ଜୁଲାଇ-ଅଗଷ୍ଟରେ ଆୟୋଜିତ ହୋଇଥିବା ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳୀ ୭ଟି ପଦକ ହାସଲ କରିଥିଲେ । ଯେଉଁଥିରେ ନିରୋଜ ଚୋପ୍ରା ଜ୍ୟାଭେଲିନ୍ ଥ୍ରୋରେ ଭାରତ ପାଇଁ ଗୋଲ୍ଡ ମେଡ଼ାଲ ଜିତିଥିଲେ । ଯାହା ଭାରତ ପାଇଁ ଏକ ଐତିହାସିକ ଦିନ ।

• ଟିକାକରଣରେ ଭାରତର ରେକର୍ଡ
୨୧ ଅକ୍ଟୋବର ୨୦୨୧, ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତ ବହୁତ କମ୍ ଦିନ ମଧ୍ୟରେ ସବୁଠାରୁ ଅଧିକ ଟିକାକରଣ (ଏକ ବିଲିୟନ) ଟିକାକରଣରେ ରେକର୍ଡ ସୃଷ୍ଟି କରିଥିଲା । ୨୧ ଅକ୍ଟୋବରରେ ଭାରତରେ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ପାର କରିଥିଲା ।

• ଶିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ
ବଲିଉଡର ଚର୍ଚ୍ଚିତ ଅଭିନେତା ଶିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁରେ ତାଙ୍କ ପ୍ରସଂଶକମାନଙ୍କୁ ବଡ଼ ଝଟକା ଲାଗିଥିଲା । ବିଗ୍ ବସ-୧୩ର ବିଜେତା ଶିଦ୍ଧାର୍ଥ ଶୁକ୍ଳା ସେପ୍ଟେମ୍ବର ୨ରେ ଅଚାନକ ମୃତ୍ୟୁ ହୋଇଥିଲା । ୪୦ ବର୍ଷ ବୟସରେ ତାଙ୍କର ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିଲା ।

• ଚାଷୀଙ୍କ ଆଗରେ ମୁଣ୍ଡ ନୁଆଇଁଲେ ସରକାର
୧୯ ନଭେମ୍ବର ୨୦୨୧ ଚାଷୀମାନଙ୍କ ପାଇଁ ସବୁଠୁ ବଡ ଦିନ ଥିଲା । ଏହିଦିନ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ସରକାର । କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରି କୃଷକମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ସରକାର । ଏହାପରେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ପାରିତ ହେବା ପରେ ୩୭୮ ଦିନ ହେବ ଚାଲିଥିବା ଆନ୍ଦୋଳରୁ ଓହରି ଘରକୁ ଫେରିଥିଲେ ଚାଷୀ ।

• ହରନାଜ ଜିତିଲେ ମିସ୍ ୟୁନିଭର୍ସ ପୁରସ୍କାର
ଡିସେମ୍ବର ମାସ ୨୦୨୧ରେ ହରନାଜ୍ କୌର ସିନ୍ଧୁ ମିସ୍ ୟୁନିଭର୍ସ ପୁରସ୍କାର ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଦୀର୍ଘ ୨୧ବର୍ଷ ପରେ ଭାରତକୁ ମିଳିଥିଲା ମିସ୍ ୟୁନିଭର୍ସ ଆୱାର୍ଡ । ୧୯୯୪ରେ ସୁସ୍ମିତା ସେନ୍ ଏବଂ ୨୦୦୦ ମସିହାରେ ଲାରା ଦତ୍ତା ଜିତିଥିଲେ ମିସ୍ ୟୁନିଭର୍ସ ଆୱାର୍ଡ।

• ସିଡିଏସଙ୍କ ମୃତ୍ୟୁ: ଭାରତ ପାଇଁ ଅପୂରଣୀୟ କ୍ଷତି
ଡିସେମ୍ବର ୮ତାରିଖ ୨୦୨୧ । ଭାରତୀୟ ସେନା ପାଇଁ ଏକ କଳା ଦିନ । ଅଚାନକ ଖବର ଆସିଲା, ଭାରତୀୟ ସେନାର ଏକ ଚୋପର ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ସିଡିଏସ୍ ବିପିନ୍ ରାୱତଙ୍କ ସହ ତାଙ୍କ ପରିବାର ଥିଲେ । ଦୁର୍ଘଟଣା ଘଟିବାର କିଛି ଘଣ୍ଟା ପରେ ଯେଉଁ ଖବର ଆସିଲା ତାହା ସାରା ଦେଶକୁ ଦୋହଲାଇଦେଇଥିଲା । ଚୋପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ପରଲୋକ ଘଟିଲା । ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୨ଜଣ ଯବାନ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ସମସ୍ତଙ୍କ ଆଖରୁ ଝରି ପଡ଼ିଥିଲା ଶ୍ରଦ୍ଧାଞ୍ଜଳିର ଲୁହ ।

• ଭିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବାହାଘର
ମନୋରଞ୍ଜନ ଦୁନିଆରେ ସବୁଠାରୁ ବହୁ ଚର୍ଚ୍ଚତିତ ଖବର ଥିଲା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର । ଏହି ଦୁଇ ଜଣ ମୁମ୍ବାଇ ଠାରୁ ଯାଇ ବହୁ ଦୂର ରାଜସ୍ତାନରେ ବିବାହ କରିଥିଲେ ।

• ବର୍ଷ ଶେଷରେ ଓମିକ୍ରନ ଆତଙ୍କ
ଯେତେବେଳେ ୨୦୨୧ ସରିସରି ଆସୁଛି ସେତେବେଳେ ଦେଶକୁ ଘାରିଛି ଓମିକ୍ରନ୍ ଭୟ । ବର୍ଷ ଆରମ୍ଭରୁ ଡେଲ୍ଟା ଭ୍ୟାରିୟାଣ୍ଟ ସହ ଦେଶ ଲଢେଇ କରିଆସୁଥିବା ବେଳେ ବର୍ଷର ଶେଷ ଭାଗରେ ଓମିକ୍ରନ୍ ଆତଙ୍କ ସମସ୍ତଙ୍କୁ ଆତଙ୍କିତ କରିଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *