Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କୋଭିଡ ସଂକ୍ରମିତଙ୍କୁ ଖୋଜିବ କୁକୁର

(ଦ କୁଇଭର): ଏଣିକି କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରିବେ କୁକୁର । କୁକୁରମାନେ ଖୋଜି ଖୋଜି କରୋନା ସଂକ୍ରମିତଙ୍କୁ ବାହାର କରିବେ । ନିଜର ପ୍ରଖର ଘ୍ରାଣ ଶକ୍ତି ବଳରେ କୋଭିଡ ରୋଗୀଙ୍କୁ ଚିହ୍ନଟ କରିପାରୁଥିବାରୁ ସ୍ବତନ୍ତ୍ର ଭାବେ ସ୍ନିଫର ଡଗଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଛି । ପୂର୍ବରୁ କୁକୁରମାନେ ନିଜ ଘ୍ରାଣ ଶକ୍ତି ବଳରେ କର୍କଟ, ମଧୁମେହ, ପାର୍କିନସନ ରୋଗ ଆଦି ଚିହ୍ନଟ କରିପାରୁଥିଲେ । ଆଉ ଏବେ କୋଭିଡ ରୋଗୀଙ୍କୁ ବି ଚିହ୍ନଟ କରିବାକୁ ସକ୍ଷମ ହେବେ । ଏହି ପ୍ରକ୍ରିୟାକୁ ବାୟୋଡିଟେକ୍ସନ ବୋଲି କୁହାଯାଉଛି । ବିଶ୍ବରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରଠୁ ଆମେରିକାରେ କେତେକ ସ୍ବତନ୍ତ୍ର ଧରଣର କୁକୁରଙ୍କୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ତାଲିମ ଦେଇଥିଲେ । ଏକ୍ଷେତ୍ରରେ ଏହି ବୈଜ୍ଞାନିମାନେ ସଫଳ ମଧ୍ୟ ହୋଇଛନ୍ତି ।

ଆମେରିକାର ନ୍ୟାସନାଲ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନଫର୍ମେସନ ବା ଏନସିବିଆଇର ତଥ୍ୟ ଅନୁସାରେ କୁକୁର ମାନଙ୍କର ଅତ୍ୟଧିକ ସ୍ପର୍ଶକାତର ଅଲଫାକ୍ଟୋରି ସିଷ୍ଟମ ରହିଛି । ଯାହାଦ୍ବାରା ଏମାନେ ମଣିଷ ଶରୀରର ସୂକ୍ଷ୍ମାତିସୂକ୍ଷ୍ମ ପ୍ରକ୍ରିୟା ବାରିବାରେ ସକ୍ଷମ ହୋଇଥାନ୍ତି । କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ସ୍ବତନ୍ତ୍ର ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡ ବା ଭିଓସି ନିର୍ଗତ ହେଉଥିବାରୁ ତାହାକୁ ସେମାନେ ଘ୍ରାଣ ଜରିଆରେ ଠାବ କରିପାରନ୍ତି । ମିଆମି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ୯୮ ପ୍ରତିଶତ ସଫଳତା ମିଳିଥିବା କୁହାଯାଇଛି। ଆମେରିକାର ବାୟୋଡିଟେକ୍ସନ କେ୯ ଓ ୩୬୦ କେ୯ ନାମକ ଦୁଇଟି ଘରୋଇ କମ୍ପାନୀ ଏହି ସ୍ବତନ୍ତ୍ର ଧରଣର କୁକୁରଙ୍କୁ ତାଲିମ ଦେଇଛି । କୋଭିଡ ଚିହ୍ନଟ ପାଇଁ ଦୁବାଇରେ ୩୮ଟି ସ୍ନିଫର ଡଗଙ୍କୁ ନେଇ ଏକ ସ୍କ୍ବାଡ ଗଠନ କରାଯାଇଛି ।

Exit mobile version