Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସମସ୍ୟା ସହ ସଢୁଛନ୍ତି ଲୋକେ: ନେତାଙ୍କର ଚିନ୍ତା ନାହିଁ

(ଦ କୁଇଭର): ବ୍ରହ୍ମଗିରି-ବିକାଶ-ପଲିଟିକ୍ସ । ବ୍ରହ୍ମଗିରିରେ ଚାଲିଛି ବିକାଶ ରାଜନୀତି । ନେତା କେବଳ ରାଜନୈତିକ ସ୍ୱାର୍ଥବାଦୀ । ବିକାଶ ପାଇଁ ନା ଅଛି ଧ୍ୟାନ ନା ଭୋଟରଙ୍କ ସୁବିଧା ସୂଯୋଗ ପାଇଁ ବଳାଉଛନ୍ତି ମନ । ଯେଉଁମାନଙ୍କ ଭୋଟ୍‌ରେ ଆଜି ରାଜନୀତିରେ ଦବଦବା ଜାହିର କରୁଛନ୍ତି ଓ ରାଜେନୌତିକ ପତିଆରା ଦେଖାଉଛନ୍ତି, ସେଇ ଭୋଟରମାନଙ୍କ ଆଶା ଓ ଆକାଂକ୍ଷାକୁ ଦଳିମକଚି ଦେଉଛନ୍ତି । ସେ ବିଜେଡି ହେଉ ଅବା ବିଜେପି ସବୁ ସମାନ । ଆମେ ଏକଥା କୌଣସି ରାଜନୈତିକ ବିଦ୍ୱେଶ ରଖି କିମ୍ବା ନିର୍ଦ୍ଦିଷ୍ଟ ଭାବେ କାହାକୁ ଟାର୍ଗେଟ କରି କହୁନାହୁଁ । ରାଜଧାନୀ ଠାରୁ ମାତ୍ର ୬୦ କିଲୋମିଟର ଦୂର ବ୍ରହ୍ମଗିରି କପିଳେଶ୍ୱରପୁର ବିନ୍ଧେଇବସ୍ତ ଗାଁର ଏହି ଅଣ ବିକଶିତ ଚିତ୍ର ହିଁ ଏହାର ଜ୍ୱଳନ୍ତ ଉଦାହରଣ । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଭାର୍ଗବୀ ନଦୀ ଉପରେ ଥିବା ଏହି ଭଙ୍ଗା କାଠ ପୋଲ । ଯାହା ଉପରେ ପ୍ରତିଦିନ ୨୦ରୁ ୨୫ଟି ଗାଁର ୩ରୁ ୪ ହଜାର ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏହି ପୋଲ ବର୍ତ୍ତମାନ ପାଲଟିଛି ମରଣଯନ୍ତା । କାହାର କେତେବେଳେ କ’ଣ ହେବ କେହି କହିପାରିବେ ନାହିଁ । ପ୍ରତି ମୂହୂର୍ତ୍ତରେ ଜୀବନକୁ ପାଣି ଛଡ଼ାଇ ପୋଲ ଉପରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ।

ବ୍ରହ୍ମଗିରି ହେଉଛି ଏମିତି ଏକ ନିର୍ବାଚନ ମଣ୍ଡଳୀ, ଯାହା ଦୀର୍ଘ ୧୦ ବର୍ଷ ଧରି ବିଜେଡି ଶାସନ ଅକ୍ତିଆରରେ ଥିଲା । ଯାହାର ନେତୃତ୍ୱ ନେଇଥିଲେ ବିଜେଡିର ପୂର୍ବତନ ପାୱାରଫୁଲ ମନ୍ତ୍ରୀ ତଥା କରିତକର୍ମା ସଞ୍ଜୟ ଦାସ ବର୍ମା । ଚାହିଁଥିଲେ କାଠ ପୋଲକୁ ସ୍ଥାୟୀ ପୋଲ କରିପାରିଥାନ୍ତେ । କିନ୍ତୁ ରାଜନୈତିକ ସ୍ୱାର୍ଥ ପାଇଁ ତାହା କରିନାହାନ୍ତି । ଯଦିଓ ପୋଲ ନିର୍ମାଣ ପାଇଁ ପ୍ରାଥମିକ ପାଣ୍ଠି ଆସିଥିଲା ବୋଲି କୁହାଯାଉଥିଲା କିନ୍ତୁ ତାହା କେବଳ ଭାଷଣରେ ରହିଗଲା । ସବୁ ନେତାମାନେ ଏଠାକୁ ଆସି କାନ୍ଦୁଛନ୍ତି ସତ କିନ୍ତୁ କାହାରି ଆଖିରୁ ଲହ ଗଡ଼ୁନାହିଁ । ଯାହାର ଦୁଃଖ ଭୋଗୁଛନ୍ତି ସାଧାରଣ ଗ୍ରାମବାସୀ ।

ଏବେ ବିଧାୟକ ଅଛନ୍ତି ପୂର୍ବତନ କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର । ଏବେ ସେ ବିଜେପିର । ସେ ବି ସେ ଗାଁକୁ ଯାଇଛନ୍ତି, ଭୋଟ୍ ବି ମାଗିଛନ୍ତି । ଏକଥା ସେ କହିପାରିବେନି ତାଙ୍କୁ ଗ୍ରାମବାସୀ ନିଜ ଦୁଃଖ କହି ନ ଥିବେ ବା ସେ ପ୍ରତିଶ୍ରୁତି ଦେଇନାଥିବେ । କିନ୍ତୁ ବିଧାୟକ ହେବା ପରେ ସବୁ ପ୍ରତିଶ୍ରୁତି ଯେମିତି ଭୂଲି ଯାଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେ ଚାହିଁଥିଲେ ମଧ୍ୟ ପୋଲ ଛିଡ଼ା କରିପାରିଥାନ୍ତେ । କିନ୍ତୁ ରାଜନୈତିକ ସ୍ୱାର୍ଥ ତାହା ବି ବଳି ପଡ଼ିଯାଇଛି । ନା ବିଜେଡ଼ି ନା କଂଗ୍ରେସ ସବୁ ଯେଉଁ ଦରପୋଡ଼ା କୁ ସେଇ ଦରପୋଡ଼ା । । କିନ୍ତୁ ଏମାନଙ୍କ ସ୍ୱାର୍ଥ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ । ନିର୍ବାଚନ ପରେ ନିର୍ବାଚନ ବିତିଚାଲିଛି । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମଧ୍ୟ ଦେଇଚାଲିଛନ୍ତି ନେତା କିନ୍ତୁ ତାହା କେତେଦୂର ପୂରଣ ହେଉଛି ତାହା ଏହି ଦୃଶ୍ୟ ହିଁ ବୟାନ କରିଛି । ତେବେ କେବେ ଏହି ପୋଲ ନିର୍ମାଣ ହେଉଛି, କେବେ ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ ହେଉଛି ତାହା ହିଁ ଦେଖିବାକୁ ବାକି ରହିଲା ।

Exit mobile version