Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଜଗା ଦର୍ଶନ ପାଇଁ ନୂଆ ଏସଓପି

(ଦ କୁଇଭର): କମିଲା ସଂକ୍ରମଣ, କୋହଳ ହେଲା କଟକଣା । ସାରା ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ କଟକଣା ଧୀରେ ଧୀରେ କୋହଳ ହେବାରେ ଲାଗିଛି । ତେବେ ଏହାରି ଭିତରେ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର । ଭକ୍ତଙ୍କ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ କଟକଣାମୁକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛନ୍ତି । ଏଣିକି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ କୋଭିଡ୍ ଟିକା ପ୍ରମାଣପତ୍ରର ଆବଶ୍ୟକତା ନଥିବାବେଳେ କେବଳ ମନ୍ଦିର ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ଖୋଲା ରହିବ। ଏହାସହିତ ବରିଷ୍ଠ ନାଗରିକଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିବ ଓ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ଗାଇଡଲାଇନ୍ ଆସନ୍ତା ୨୧ତାରିଖରୁ କାର୍ୟ୍ୟକ୍ଷମ ହେବ ।

ମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁସାରେ, ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଏଣିକି ଆଉ କୋଭିଡ୍ ଟିକା ସାର୍ଟଫିକେଟ୍ କିମ୍ବା ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଭଳି କୋଭିଡ୍ ନିୟମକୁ ମାନିବା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସକାଳ ୬ରୁ ରାତି ୯ଟା ପର୍ୟ୍ୟନ୍ତ ଖୋଲା ରହିବ। ସାନିଟାଇଜେସନ୍ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ ।

ସେପଟେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଥିବାରୁ ସେମାନଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସଓପିରେ ଉଲ୍ଲେଖ କରାଯାଇଛି ।

Exit mobile version