Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଳି ପଡ଼ୁଛି ବଡ଼ଦେଉଳ: ଚୁପ୍ ସେବାୟତ

ଭୁବନେଶ୍ୱର (ଦ କୁଇଭର): ବିପଦରେ ଶ୍ରୀମନ୍ଦିରର ଢାଞ୍ଚ । ହେଲେ ମୁହଁ ଖୋଲୁନାହାନ୍ତି ସେବାୟତ । ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବା ବେଳେ ଶ୍ରୀମନ୍ଦିର ଢାଞ୍ଚା ପ୍ରତି ଏହା ବିପଦ ଥିବା ଅଭିଯୋଗ ହେଉଛି । ଏହାକୁ ନେଇ ସବୁଠି ତୁମ୍ବି ତୋଫାନ ହେଲାଣି । ହେଲେ ବଡ଼ଦେଉଳ ସୁରକ୍ଷା ପାଇଁ ଟ୍ରେଡମାର୍କ ନେଇଥିବା ସେବକମାନେ ନିଦାବିଷ୍ଣୁ ପାଲଟିଛନ୍ତି ।

ଶ୍ରୀମନ୍ଦିରର ଇତିହାସ ଉପରେ ଯଦି ନଜର ପକାଇବା ତେବେ ଯେତେବେଳେ ବି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ବିପଦ ଆସିଛି, ସେତେବେଳେ ଏହି ସେବାୟତମାନେ ହିଁ ଶ୍ରୀବିଗ୍ରହଙ୍କୁ କାନେ୍ଧଇ ନେଇଯାଇଛନ୍ତି କାହିଁ କେତେ ଦୂର ଘଞ୍ଚ ଜଙ୍ଗଲକୁ । ପୁରୀରୁ ଯୋଜନ ଯୋଜନ ଦୂର ସୁଦୂର ସୋନପୁରରେ ମହାପ୍ରଭୁଙ୍କୁ ନେଇ ସୁରକ୍ଷିତ ରଖିଥିଲେ । ଯାହାକୁ ନେଇ ଗର୍ବ ଦେଖାନ୍ତି ସେବକ । ଏହା ତାଙ୍କର କାଳେ ସ୍ୱର୍ଣ୍ଣିମ ଇତିହାସ । ହେଲେ ସରକାରଙ୍କ ଚାପରେ ଚେପା ହୋଇ ସେହି ଇତିହାସ ଏବେ କଳଙ୍କିତ କରିବାକୁ ବସିଲେଣି ।

ଶ୍ରୀମନ୍ଦିର ପ୍ରତି ଏତେବଡ଼ ଅନିଷ୍ଟ ହେବାକୁ ଯାଉଥିବା ବେଳେ ନିଜ ଦୁର୍ନୀତିକୁ ଲୁଚାଇବାକୁ ମୁହଁ ବନ୍ଦ କରିଛନ୍ତି ସେବକ । ଶ୍ରୀମନ୍ଦିର ପ୍ରତି ନିଯୋଗର ଅନେକ ପୁରୁଖା ସେବକ ନାନା ଦୁର୍ନୀତିରେ ବୁଡ଼ି ରହିଛନ୍ତି । ଜମି ଦୁର୍ନୀତି ହେଉ କି ହୋଟେଲ ଦୁର୍ନୀତି, ମହାପ୍ରଭୁଙ୍କ ଜମି ହଡ଼ପ ହେଉ କି ସରକାରୀ ଜମି ହଡ଼ପ, କୌଣସି ନା କୌଣସି ଦୁର୍ନୀତିର ପୁରୁଖା ସେବକମାନେ ଜଡ଼ିତ । ସେମାନଙ୍କ କଳା କାରନାମା ଜାଣିଥିବା ଅଫିସରମାନେ ଏବେ ସେବକଙ୍କ ତଣ୍ଟି ଧରିଛନ୍ତି । ସରକାରଙ୍କ ବିରୋଧରେ କଥା କହିଲେ, ଦୁର୍ନୀତି ଖୋଲି ଭିତରେ କରିଦେବେ । ଏପରି ଧମକ ବି ଦିଆଯାଇଛି ।

ଖାଲି ସେବକ ନୁହେଁ, ତଥାକଥିତ ସମାଜସେବୀ ଓ ରାଜନେତା ବି ଦୁର୍ନୀତିରୁ ମୁକ୍ତ ନୁହନ୍ତି । ପୁରୁଖା ସମାଜସେବୀଙ୍କୁ ଦେଖିଲେ, ସମସ୍ତେ ଜମି ହଡ଼ପ ଓ ବଟି ଆଦାୟରେ ବ୍ୟସ୍ତ । ବିଜେଡି ନେତା ମହେଶ୍ୱର ମହାନ୍ତି ହୁଅନ୍ତୁ କି ବିଧାୟକ ଜୟନ୍ତ ଷଢ଼ଙ୍ଗୀ କିଛି ନା କିଛି ଦୁର୍ନୀତିରେ ଲିପ୍ତ ରହିଛନ୍ତି । ତେଣୁ ଶ୍ରୀମନ୍ଦିର, ପୁରୀର ସ୍ୱାର୍ଥ ପଛେ ଚୁଲିକି ଯାଉ ସେମାନଙ୍କ ଦୁର୍ନୀତି ସୁରକ୍ଷିତ ରହୁ । ଏହି ନ୍ୟାୟରେ ଏବେ ବଳି ପଡ଼ିଛି ବଡ଼ ଦେଉଳ ।

Exit mobile version