Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବରାଦି ଭୋଗ ଚୁଲି ପାଇଁ ସରକାରଙ୍କ ଏତେ ଦରଦ କାହିଁକି ?

ପୁରୀ (ଦ କୁଇଭର): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାକୁ ନେଇ ହଠାତ୍ ଚେଇଁ ଉଠିଲେ ସରକାର । ଏତେ ତତ୍ପର ହୋଇପଡ଼ିଲେ ଯେ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଘଟଣା ସ୍ଥଳକୁ ସମୀକ୍ଷା ପାଇଁ ପଠାଇଦେଲେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରର ରୋଷଘରେ କେଉଁ ଚୁଲି ଭାଙ୍ଗିଛି? ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତ ଚୁଲି ଭାଙ୍ଗିଛି ନା ବରାଦି ଭୋଗ ଚୁଲି ଭାଙ୍ଗିଛି? ମନ୍ଦିର ପ୍ରସାସନ ପକ୍ଷରୁ ଯାହା ତଥ୍ୟ ରହିଛି, କୋଠଭୋଗ ଚୁଲି ସୁରକ୍ଷିତ ଅଛି । କେବଳ ବରାଦି ଭୋଗ ଚୁଲି ଭଙ୍ଗାଯାଇଛି । ତାହା ପୁଣି ଆପୋଷ ବିବାଦ ପାଇଁ । ଯାହା ଏକ ଅପରାଧିକ ମାମଲା । ଯାହାକୁ ଜଣେ ସାଧାରଣ ଆଇଆଇସି, ଏସପି ବା ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ଏହାକୁ ସମାଧାନ କରିପାରିଥାନ୍ତେ ବା ଆଇନ ଅନୁଯାୟୀ ପଦକ୍ଷେପ ନେଇବାରିଥାନ୍ତେ । ହେଲେ ସରକାର ପଠାଇଥିବା ଦୁଇ ମୁଖିଆ ଘଟଣା ସ୍ଥଳ ବୁଲିଲା ପରେ କ’ଣ କହିଲେ? କହିଲେ ଦୋଷୀଙ୍କୁ ଚିହ୍ନଟ କରାଯାଇଛି ଓ ତଦନ୍ତ ଚାଲିଛି । ସେହି କାମ କାହାର? ଯାହାକୁ ଜଣେ ଆଇଆଇସି ସମାଧାନ କରିପାରିଥାନ୍ତେ କିନ୍ତୁ ସମୀକ୍ଷା ପାଇଁ ଜଣେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କର କ’ଣ ଆବଶ୍ୟକତା ରହିଥିଲା? କ’ଣ ଅଛି ଏହା ପଛର ରହସ୍ୟ? ପୂର୍ବରୁ ମଧ୍ୟ ମନ୍ଦିରର ଜଗମୋହନରେ ଫାଟ ସୃଷ୍ଟି ହୋଇଛି, ଯାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଯାହାକୁ ଦେଖିବା ପାଇଁ ତତକାଳୀନ ମୁଖ୍ୟ ଶାସନ ସଚିବ କିମ୍ବା ଡିଜିପି ଥରେ ବି ଯାଇନାହାନ୍ତି । କିନ୍ତୁ ସାମାନ୍ୟ ଗୋଟିଏ ଅପରାଧ ପାଇଁ ଏତେ ତତ୍ପର କାହିଁକି ସରକାର? ମୁଖ୍ୟ ଶାସନ ସଚିବ ଓ ଡିଜିପି ଗଲେ କ’ଣ ଅଧିକ ଅପରାଧୀଙ୍କୁ ଧରିପକାଇବେ କି? କିନ୍ତୁ ତାହା ହେଲାନି, ସେମାନେ ସମୀକ୍ଷା କଲେ, ସିସିଟିଭି ଦେଖିଲେ ଓ କହିଲେ ଯାଞ୍ଚ ଚାଲିଛି ।

ଯଦି କିଛି ବର୍ଷ ତଳକୁ ଚାଲିଯିବା ତେବେ ୨୦୧୬-୧୭ରେ ତତକାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବରାଦି ଭୋଗ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ କହିଥିଲେ ବରାଦି ଭୋଗ ବନ୍ଦ ହୋଇଗଲେ କିଛି ଫରକ ପଡ଼ିବନି । କିନ୍ତୁ ବର୍ତ୍ତମାନ ସେହି ବରାଦି ଭୋଗ ଚୁଲି ପାଇଁ ସରକାରଙ୍କ ଏତେ ଦରଦ କାହିଁକି? କ’ଣ ରହିଛି ଏହା ପଛର ରହସ୍ୟ? କିନ୍ତୁ ଅନ୍ୟପଟେ କିଛି ପ୍ରଶାସନିକ ବାବୁମାନେ ଯାହା କଥା ହେଉଛନ୍ତି, ତାକୁ ଯଦି ଧରାଯାଏ ତେବେ ଏହି ଘଟଣା ପଛରେ ରହିଛି ଏକ ବଡ଼ ରହସ୍ୟ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଖନନ କାର୍ଯ୍ୟକୁ ନେଇ ସବୁଆଡେ ବିଦ୍ରୋହ ମୁଣ୍ଡ ଟେକିଲାଣି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେଣି ସମସ୍ତେ । ତାଙ୍କରି ଦଳର ଜଣେ ପୁରୁଖା ସାଂସଦ ଏହାକୁ ନେଇ ସଂସଦରେ ମିଛ ମଧ୍ୟ କହିଦେଇଛନ୍ତି । ଯାହାକୁ ପ୍ୟାଚ୍ ପକାଇବାକୁ ବାରମ୍ବାର ଚେଷ୍ଟା କଲେ ବି ଲୋକେ ମାନିବାକୁ ନାରାଜ୍ । ଏପରିକି ସାଂସଦ ମହୋଦୟ ନିଜ ଅଂଚଳକୁ ନ ଯାଇ ଭୁବନେଶ୍ୱରରୁ ଫେରିଗଲେ । ଏଭଳି ଗୋଟିଏ ସମ୍ବେଦନଶୀଳ ଘଟଣାକୁ ସରକାର ଦିଗହରା କରିବା ପାଇଁ ଏହାକୁ କରିଛନ୍ତି ବୋଲି କିଛି ପ୍ରଶାସନ ଓ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ସମାନ କଥା କହିଛି । କରିଡର ପ୍ରକଳ୍ପ ବିବାଦରୁ ନଜର ହଟାଇବା ପାଇଁ ସରକାର ଏଭଳି ସୁପରିକଳ୍ପିତ ଯୋଜନା କରିଛନ୍ତି ।

ଯାହାକୁ ଜଣେ ଥାନାଧିକାରୀ ସମାଧାନ କରିପାରିଥାନ୍ତେ କିମ୍ବା ଆଇନଗତ ପଦକ୍ଷେପ ନେଇପାରିଥାନ୍ତେ । ଡିଜି ଗଲେ ଆଇନଗତ ପଦକ୍ଷେପ ନେଇପାରିବେ କି? ମୁଖ୍ୟ ଶାସନ ସଚିବ ଗଲେ କ’ଣ ଚୁଲା ଭଙ୍ଗା ଘଟଣାର ଆଇନଗତ ପଦକ୍ଷେପ ନେଇପାରିବେ କି? ଯଦି ଏମାନେ ଆଇନଗତ ପଦକ୍ଷେପ ନେଇ ପାରିବେ ନାହିଁ, ତେବେ ସରକାରଙ୍କ ଏ ଦେଖାଣିଆ ନାଟକ କାହିଁକି? ନା ଏହା ପଛରେ ରହିଛି ବଡ଼ ରହସ୍ୟ? ଯାହା ରାଜ୍ୟବାସୀ ଜାଣିବା ଦରକାର ।

Exit mobile version