Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଦଳିଛି ମୋ ଶ୍ରୀକ୍ଷେତ୍ର

ପୁରୀ (ଦ କୁଇଭର): ସତରେ ବଦଳି ଯାଇଛି ମୋ ଶ୍ରୀକ୍ଷେତ୍ର । ପୂରା ନୂଆ ନୂଆ ଲାଗୁଛି । ନା ସିଂହଦ୍ୱାରରେ ଅଛି ଭାବର ଗହଳି ନା ବଡ଼ଦାଣ୍ଡରେ ଅଛି ଭକ୍ତିର ବାସ୍ନା । ସବୁଠି ବାରି ହେଉଛି ଅ-ଭାବ । ଏତେଶୀଘ୍ର କଳା ଠାକୁରଙ୍କ ଶ୍ରୀକ୍ଷେତ୍ର ବଦଳିଯିବ ତାହା କେହି ଭାବି ନଥିବେ । ହଁ ଏହି ପରିବର୍ତ୍ତନ କାଳେ ବିକାଶର ନମୂନା । ସତରେ କ’ଣ ଏହା ବିକାଶ? ସତରେ କ’ଣ ପୁରୀର ବିକାଶ ହୋଇଛି? ନା ଭାବ ଆଉ ଭକ୍ତିର ବିନାଶ କରାଯାଇଛି?

ପୁରୀ ବା ଶ୍ରୀକ୍ଷେତ୍ର, କେହି କେହି କୁହନ୍ତି ଶ୍ରୀଜଗନ୍ନାଥ ଧାମ । ଏହି ନାମ ତୁଣ୍ଡକୁ ଆସିବା ମାତ୍ରେ ସମଗ୍ର ଶରୀରରେ ଖେଳିଯାଏ ଭକ୍ତି ଓ ଭାବର ସ୍ରୋତ । ଭାବ ଆସିବା ମାତ୍ରେ ଭକ୍ତଟିଏ ଟାଣି ହୋଇଯାଇଥାଏ ପୁରୀକୁ । ବଡ଼ଦାଣ୍ଡ ଛୁଇଁବା ମାତ୍ରେ ଆସିଥାଏ ଏକ ନିଆରା ଭାବନା । ଆପେ ଆପେ ନଇଁଯାଏ ମଥା । ଉଠିଯାଏ ଦୁଇ ହାତ । ‘ହେ ମହାବାହୁ’ ବୋଲି ପାଟିରୁ ବାହାରି ଆସେ । ଗରିବ ହେଉ କି ଧନୀ, ଜ୍ଞାନୀ ହେଉ କି ଅଧମ ସମସ୍ତେ ଏକ ମୁହାଁ ହୁଅନ୍ତି । ଚାଲନ୍ତି ବଡ଼ ଦେଉଳ ଆଡ଼କୁ । ସିଂହଦ୍ୱାର ଥାଏ ସମସ୍ତଙ୍କର ଲକ୍ଷ୍ୟ । ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ମାତ୍ରେ ପତିତପାବନଙ୍କ ଆଗରେ ହାତ ଉଠାଇ ଶରଣାପନ୍ନ ହୁଅନ୍ତି ସମସ୍ତେ । ଅରୁଣସ୍ତମ୍ବକୁ ସ୍ପର୍ଶ କରି ବଢ଼ନ୍ତି କାଳିଆ ସାଆନ୍ତଙ୍କ ଆଡ଼କୁ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କଳା ଶ୍ରୀମୁଖକୁ ଦର୍ଶନ କରିବେ । କଳା ଠାକୁରଙ୍କୁ ତାଙ୍କ ଭାବର କଥା କହିବେ ।

ଭାବର ଠାକୁର କାଳିଆଙ୍କ ପାଖକୁ ଆସୁଥିବା ଭକ୍ତଙ୍କ ପାଇଁ ବେଶ ଗାରିମା ମୟ ଥିଲା ସିଂହଦ୍ୱାର ଓ ଆଖପାଖ ଅଞ୍ଚଳ । ଭାବ ଭକ୍ତିରେ ଭରି ରହୁଥିଲା । ହେଲେ ଏବେ ଏହା ବଦଳି ଯାଇଛି । ଆଉ ଭକ୍ତର ସେ ସ୍ରୋତ ଦିଶୁ ନାହିଁ । ବଡ଼ଦାଣ୍ଡରେ ଭକ୍ତିର ପରିବେଶ ନାହିଁ । ସିଂହଦ୍ୱାରରେ ନାହିଁ ଭାବର ସ୍ଥାନ । ଐତିହ୍ୟର ପ୍ରତୀକ ଧୂଳିସାତ ହୋଇଯାଇଛି । ସିଂହଦ୍ୱାରରେ ବ୍ୟାରିକେଡର ବନ୍ଧନ । ପତିତପାବନଙ୍କ ଠାରୁ ଦୂରେଇ ଦିଆଯାଇଛି ଭକ୍ତଙ୍କୁ । ଅରୁଣସ୍ତମ୍ବ ଛୁଇଁବା ଉପରେ ବି କଟକଣା ଲାଗିଛି । ଯେମିତି ଲାଗୁଛି ଭାବ ଭକ୍ତିର ସ୍ଥଳ ନୁହେଁ ସିଂହଦ୍ୱାର ଏକ ବଗିଚା । ଉଠା ଗଛ ଓ ଟେନଷ୍ଟାଇଲ ଟେଣ୍ଟ ଭକ୍ତର ଭାବକୁ ବିଦ୍ରୁପ କରୁଥିବା ଭଳି ଲାଗୁଛି । ସତରେ ଶ୍ରୀକ୍ଷେତ୍ର ବଦଳି ଯାଇଛି ।

Exit mobile version