Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆସ୍ଥା ଉପରେ ଆକ୍ରମଣ

ପୁରୀ (ଦ କୁଇଭର): ଆମ ଓଡ଼ିଆଙ୍କ ପରିଚୟ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର । ଏହାକୁ ଛାଡ଼ି ଦେଲେ ଏପରି ଅନନ୍ୟ କିଛି ନାହିଁ । ବିକାଶର ଯେତେ ଡିଣ୍ଡିମ ପିଟାଯାଉ ପଛେ, ଏପରି ଅଦ୍ୱିତୀୟ ହୋଇ ପାରିବ ନାହିଁ । ଶ୍ରୀଜଗନ୍ନାଥ ଆମର ଅସ୍ଥା ଓ ବିଶ୍ୱାସ । କାଳିଆ ସାଆନ୍ତ ହେଲେ ଆମ ଦିଅଁ । ଆଉ ଓଡ଼ିଶା ଶିଳ୍ପକଳାର ଏହି ନମୂନା ଓଡ଼ିଆଙ୍କ ପରିଚୟ । ଏହା ସନାତନ ଧର୍ମର ଏକ ମହତ ପୀଠ । ସେହି ପରିଚୟ ଉପରେ ଚାଲିଛି ଆକ୍ରମଣ । ମହାପ୍ରଭୁଙ୍କ ପ୍ରତି ଥିବା ଅସ୍ଥା ଓ ବିଶ୍ୱାସକୁ ଭାଙ୍ଗି ଦେବା ପାଇଁ କରାଯାଉଛି ଜଘନ୍ୟ ଷଡ଼ଯନ୍ତ୍ର ।

ତାହାର ଆରମ୍ଭ ହୋଇଯାଇଛି ୨୦୧୨ ମସିହାରୁ । ଏହି ପ୍ରକ୍ରିୟାରୁ ବାଦ ନାହାନ୍ତି ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ଅନ୍ୟ ପୁରୁଖାମାନେ । ଏମାନଙ୍କ ସହାୟତାରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଆସ୍ଥା ପ୍ରତି ଅବିଶ୍ୱାସ ସୃଷ୍ଟି କରାଗଲା । ପାଞ୍ଜିରେ ବାରମ୍ବାର ତ୍ରୁଟି କରାଗଲା । ଏହା ଅତି ଛୋଟ ହେଲେ ବି ଏହା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ପାଞ୍ଜିରେ ତ୍ରୁଟି ଯୋଗୁ ମହାପ୍ରଭୁଙ୍କ ପର୍ବପର୍ବାଣୀରେ ଆସିଲା ବୈଷମ୍ୟତା । ଏପରି ତ୍ରୁଟିପୂର୍ଣ୍ଣ ପାଞ୍ଜି ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନରେ ହେଲା । ଏହା ହିନ୍ଦୁଧର୍ମାବଲମ୍ବୀଙ୍କୁ ବିଭ୍ରାନ୍ତ କଲା । ସେହିଠାରୁ ଆରମ୍ଭ ହୋଇଗଲା ଅବିଶ୍ୱାସ ।

ପାଞ୍ଜିରେ ଅନେକ ପର୍ବପର୍ବାଣୀରେ ତ୍ରୁଟି କରାଗଲା । ଏହାକୁ ନେଇ ବିବାଦ ସୃଷ୍ଟି ହେଲା । ପର୍ବପର୍ବାଣୀର ତାଲିକା ଥିବା ପାଞ୍ଜି ଉପରେ ଭରସା ତୁଟିଲା । ଭିନ୍ନ ମତ ଯୋଗୁ ସମଗ୍ର ହିନ୍ଦୁଙ୍କ ସମ୍ମାନସ୍ପଦ ବଡ଼ଦେଉଳର ମୁକ୍ତିମଣ୍ଡପ ଉପରେ ଉଠିଲ ପ୍ରଶ୍ନ । ବଢ଼ିଚାଲିଲା ଅବିଶ୍ୱାସ । ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣୀର ତାଲିକା ରଖୁଥିବା ପାଞ୍ଜି ଉପରେ ଭରସା ହରାଇଲେ ଲୋକେ । ଆଉ ସେହି ଅବିଶ୍ୱାସକୁ ବଢ଼ାଇବା ପାଇଁ ସବୁ ବ୍ୟବସ୍ଥା କରିଦିଆଗଲା । ବାରମ୍ବାର ପାଞ୍ଜିରେ ତ୍ରୁଟି କରି ପରମ୍ପରା ଓ ସଂସ୍କୃତିକୁ ବିଦ୍ରୁପ କରାଗଲା ।

ଏବର୍ଷ ବି ପାଞ୍ଜିରେ ରହିଛି ତ୍ରୁଟି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଣ୍ଡିତମାନେ । ଏପରି ଅଧୋଗତିକୁ ରୋକିବାକୁ ଏକଜୁଟ ହୋଇଥିବା ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟ ବି ରାସ୍ତା ବାହାର କରି ପାରୁନାହାନ୍ତି । ଷଡ଼ଯନ୍ତ୍ର ସେହିଠାରେ ରହିଲା ନାହିଁ । ଧିରେ ଧିରେ ନୀତି ବିଭ୍ରାଟ ଓ ମହାପ୍ରଭୁଙ୍କ ନୀତି କାଟଛାଣ୍ଟ ବି ହେଲା । ଯାହାକୁ ଦେଖି ଟଙ୍କା ପାଇଁ ସମସ୍ତେ ନୀରବ ରହିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ଏପରି ଅଧୋପତ୍ତନ ଦେଖି ସମସ୍ତେ ଚୁପ୍ କାହିଁକି? ଏହାର ପ୍ରତିକାର ହୋଇ ପାରୁନାହିଁ ନା କରାଯାଉନାହିଁ? ଏହି ସାଂସ୍କୃତିକ ବୈଷମ୍ୟ ଉପରେ କାହିଁକି ନୀରବ ଗଜପତି?

Exit mobile version