(ଦ କୁଇଭର ବ୍ୟୁରୋ): ଟ୍ୱିଟର ପରେ କୋକାକୋଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପରେ ଏବେ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ଆଖି କୋକାକୋଲା ଉପରେ । କୋକାକୋଲା କମ୍ପାନୀ କିଣିବା କଥା ସେ ନିଜେ ଟ୍ୱିଟ୍ କରି କହିଛନ୍ତି । ଖୁବଶୀଘ୍ର ମେଗା ପାନୀୟ କମ୍ପାନୀ କୋକାକୋଲାର ନୂଆ ବସ୍ ହେବାକୁ ଯାଉଛନ୍ତି ଏଲନ ମସ୍କ ।

ଆଗକୁ ସେ ମୃଦୁପାନୀୟ କମ୍ପାନୀ କୋକାକୋଲାକୁ କିଣିବେ ବୋଲି ଟ୍ୱିଟରରେ ଘୋଷଣା କରିଛନ୍ତି । ଗୋଟିଏ ବାକ୍ୟରେ ମୁଁ ଏବେ କୋକାକୋଲା କିଣିବି ବୋଲି ଲେଖିଛନ୍ତି । ୧୮୮୬ ମସିହାରେ ପ୍ରଥମ ଥର ପାଇଁ ଜର୍ଜିଆରେ କୋକାକୋଲାର ପ୍ରତିଷ୍ଠା ହୋଇଥିଲା । ଜନ୍ ପେମ୍ବରଟନ୍ ହେଉଛନ୍ତି ଏହାର ପ୍ରତିଷ୍ଠାତା । ଏବେ ପାଖାପାଖି ୨୦୦ଟି ଦେଶରେ ଏହାର ଶାଖା କାର୍ଯ୍ୟ କରୁଛି । ଏହି କମ୍ପାନୀରେ ପାଖାପାଖି ୭ ଲକ୍ଷ ଲୋକ କାମ କରୁଛନ୍ତି । ଏବେ ଏହାର ନେଟ୍ ଓର୍ଥ ପାଖାପାଖି ୧୯.୮୦ ଲକ୍ଷ କୋଟିରୁ ଅଧିକ ହେବ । ତେଣୁ ଖୁବଶୀଘ୍ର କୋକାକୋଲାକୁ ଅକ୍ତିଆର କରିବାକୁ ଯାଉଛନ୍ତି ମସ୍କ ।

ମଙ୍ଗଳବାର ମସ୍କ ୪୪ ବିଲିୟନ ଡଲାରରେ ଶହେ ପ୍ରତିଶତ ଟ୍ୱିଟରକୁ କିଣିନେଇଛନ୍ତି । ଯାହାର ସେୟାର ହେବ ୫୪.୨୦ ଡଲାର । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଶେଷରେ ଏଲନଙ୍କ ହାତକୁ ଯାଇଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ । ଟ୍ୱିଟରକୁ କିଣିବା ପାଇଁ ବ୍ୟାପକ ମୁଲଚାଲ ହୋଇଥିଲା । ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ଟ୍ୱିଟର ଗ୍ରହଣ କରିଛି । କିଛି ଦିନ ତଳେ ଟ୍ୱିଟର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି ଚାଲି ନଯିବ, ସେଥିପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲେ । କିନ୍ତୁ ଏଲନଙ୍କ ଷ୍ଟ୍ରାଟେଜି ଆଗରେ ସେ ସବୁ ଫେଲ୍ ମାରିଥିଲା । ବାକ ସ୍ୱାଧିନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଥିଲେ ମସ୍କ । ପରେ ଏହାକୁ ସେ କିଣିଥିଲେ । ଆଉ ଏବେ କୋକାକୋଲା ଉପରେ ମସ୍କଙ୍କ ଆଖି । କେବେ କୋକାକୋଲାର ନୂଆ ବସ୍ ହେଉଛନ୍ତି ଏଲନ ମସ୍କ ତାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *