ନୂଆଦିଲ୍ଲୀ (ଦ କୁଇଭର): ପିଆଇଏଲ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଯଥା ଜନସ୍ୱାର୍ଥ ମାମଲା ଦାୟର କରିବା ୨ ଆଇନଜୀବୀଙ୍କ ଉପରେ ମହଙ୍ଗା ପଡ଼ିଛି । କଡ଼ା ଟିପ୍ପଣୀ ବି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଣିବେ ୮ ଲକ୍ଷ ଜୋରିମାନା । ସେହି ଆଦେଶ ଉପରେ ଆଉ ରିଟ୍-ଅପିଲ ହୋଇପାରିବ ନାହିଁ ବୋଲି ମନା କରିଛନ୍ତି । ସୁପ୍ରିମକୋର୍ଟର ଦୁଇଜଣ ଆଇନଜୀବୀଙ୍କ ଦ୍ୱାରା ଜନସ୍ୱାର୍ଥ ମାମଲା ସମ୍ବଳିତ ଦର୍ଶାଇ ତୁରନ୍ତ ଶୁଣାଣି କରିବାକୁ ପିଆଇଏଲ ଫାଇଲ କରିଥିଲେ । ଏହାର ଶୁଣାଣି କରି ଜଷ୍ଟିସ ଏଲ୍. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଓକିଲ ବୋଲି କ’ଣ ମନଇଚ୍ଛା ପିଆଇଏଲ କରିବ । ଆଇନଜୀବୀ ଯେଉଁ ପିଆଇଏଲ ଦାଖଲ କରୁଛନ୍ତି, ତାହା ଜନସ୍ୱାର୍ଥ ସମ୍ବଳିତ ନୁହେଁ, ସ୍ୱସ୍ୱାର୍ଥ ସମ୍ବଳିତ । ଆଇନ କୌଣସି ନିର୍ଦ୍ଦିଷ୍ଟ ଏରିଆ ପାଇଁ ନଥାଏ । ସୁପ୍ରିମକୋର୍ଟର ଆଇନଜୀବୀ ହେଲେ ମଧ୍ୟ ସେମାନଙ୍କର ଗୋଟିଏ ସୀମା ଅଛି, ସୀମା ବାହାକୁ ଯିବା ଉଚିତ୍ ନୁହେଁ । ଏଭଳି ଭର୍ତ୍ସନା ବି କରିଛନ୍ତି । ଯଦି ଏଭଳି ଭାବେ ମିଛ ପିଆଇଏଲ ଆଇନଜୀବୀମାନେ ଦାଖଲ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଯାହା ହେଉ ସୁପ୍ରିମକୋର୍ଟ ଏକ ଭଲ ନିର୍ଦ୍ଦେଶ ଦେଇଛନ୍ତି । ମିଛ ପିଆଇଏଲ କରୁଥିବା କିଛି ମନ୍ଦବୁଦ୍ଧି ଲୋକଙ୍କୁ ଏକ ବଡ଼ ଝଟକା ଲାଗିଛି । ମିଛ ବାହାନା ନେଇ କୋର୍ଟରେ ପିଆଇଏଲ ଫାଇଲ କରୁଥିବା କିଛି ତଥାକଥିତ ସାମଜସେବୀ ଓ ସାଂସ୍କାରକମାନଙ୍କ ପାଇଁ ଏହା ଏକ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବିକାଶ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ । କିନ୍ତୁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶର ଯଦି ସାମାନ୍ୟତମ ଦୁରୁପଯୋଗ କରାଯାଏ, ତେବେ ଏହା କେବଳ ବିକାଶ ପ୍ରକ୍ରିୟାକୁ ଭଣ୍ଡୁର କରିବନି । ଅନେକ କଳା କାରନାମାକୁ ସୁଯୋଗ ଦେବ । ସୁପ୍ରିକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଅନେକ ଆଇନଜୀବୀ ବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଭୟ ଆସିବ । ପିଆଇଏଲ କରିବାକୁ ଭୟ କରିବେ । କାଳେ ଜରିମାନା ହୋଇପାରେ , ଦଣ୍ଡ ମଧ୍ୟ ମିଳିପାରେ ।

ଯଦି ଏଭଳି ଭୟର ବାତାବରଣ ରହେ, ତାହାଲେ ସରକାର, ସରକାରୀ ସଂସ୍ଥା ଓ ବଡ଼ ବଡ଼ ଘରୋଇ ସଂସ୍ଥା ମାନେ ଯେଉଁ ବେଆଇନ କାର୍ଯ୍ୟ କରୁଛନ୍ତି, ଯାହାର ଉଦାହରଣ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନିଆଯାଇପାରେ କିମ୍ବା ପରିବେଶ ଉପରେ ଅତ୍ୟାଚାର କରୁଥିବା ବଡ଼ ବଡ଼ ଘରୋଇ ସଂସ୍ଥାମାନଙ୍କୁ ନିଆଯାଇପାରେ । ଯଦି ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଯଦି ଏମାନଙ୍କ ବେଆଇନକୁ ଆଖି ବୁଜିଦିଆଯାଏ, ତେବେ ବିକାଶ ନୁହେଁ ବିନାଶ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନେକ କିଛି ସୂଚାଉଛି । ଠିକ୍ ଅଭିଯୋଗ ଆଣ, ଠିକ୍ ତଥ୍ୟ ଉପସ୍ଥାପନ କର । ଭୁଲ କଲେ ପରିଣାମ ଭୟଙ୍କର ହେବ । ଆଉ ଠିକ୍ କଥାକୁ ଚାପିଲେ ବିପରୀତ ପରିଣାମ ହେବ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଏହି ରାୟର ସାମାନ୍ୟତମ ବ୍ୟତିକ୍ରମ ଦେଶକୁ ବରବାଦ ଆଡ଼କୁ ଟାଣିନେଇପାରେ ।

Leave a Reply

Your email address will not be published. Required fields are marked *