ପୁରୀ (ଦ କୁଇଭର): ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଭକ୍ତ ଦେଖିବେ ମହାପ୍ରଭୁଙ୍କ ଅନନ୍ୟ ଦେବସ୍ନାନ । ପୂର୍ବରୁ ଯେପରି ସ୍ନାନଯାତ୍ରାରେ ଭକ୍ତମାନେ ସାମିଲ ହେଉଥିଲେ, ଏଥର କେମିତି ସେଭଳି ହୋଇପାରିବ ସେନେଇ ଆଜି ଦଇତାପତି, ପୂଜାପଣ୍ଡା, ପୁଷ୍ପାଳକ ଓ ମେକାପ ନିଯୋଗ ସହ ଶ୍ରୀମନ୍ଦିରର ପ୍ରଶାସନ ମଧ୍ୟରେ ଏକ ବୈଠକ ହୋଇଛି । ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସ୍ନାନ ଓ ରଥଯାତ୍ରା କରିବା ନେଇ ବୈଠକରେ ଆଲୋଚନା ହୋଇଛି । ସ୍ନାନପୂର୍ଣ୍ଣିମାରେ ପହଣ୍ଡି, ହାତୀବେଶରେ ଦର୍ଶନ କିପରି ଶୃଙ୍ଖଳିତ ହୋଇପାରିବ ସେନେଇ ଆଲୋଚନା କରାଯାଇଛି ।

ବିଶେଷକରି ହାତୀ ବେଶ ସମୟରେ କୌଣସି ସେବାୟତ ଯେପରି ମଣ୍ଡପ ଉପରେ ନ ରହିବେ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, ସ୍ନାନପୂର୍ଣ୍ଣିମା ଦିନ ସକାଳୁ ସମସ୍ତ ଭକ୍ତ ତଳେ ରହି ଦର୍ଶନ କରିପାରିବେ । ଭୋଗ ସରିବା ପରେ ଭକ୍ତମାନେ ଉପରେ ହାତୀ ବେଶ ଦେଖିବା ପାଇଁ ୨ରୁ ୩ ଘଣ୍ଟା ସମୟ ରଖିବା ପାଇଁ ଦାବି ହୋଇଛି । ପୂର୍ବଭଳି ସାହାଣମେଳା ଦର୍ଶନ ଭକ୍ତମାନେ କିଭଳି କରିପାରିବେ, ସେନେଇ ବୈଠକରେ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ କମିଥିବାରୁ କଟକଣା ମଧ୍ୟ ଧିରେ ଧିରେ କୋହଳ ହେବାରେ ଲାଗିଛି । ତେଣୁ ଦୀର୍ଘ ୨ ବର୍ଷ ଧରି ମହାପ୍ରଭୁଙ୍କୁ ବିଦ୍ୟ ଦେବସ୍ନାନ ଦେଖିପାରୁନଥିବା ଭକ୍ତମାନେ କିଭଳି ସ୍ନାନବେଦୀ ଉପରକୁ ଯାଇ ଦର୍ଶନ କରିପାରିବେ, ସେ ନେଇ ବୈଠକରେ ଆଲୋଚନା କରାଯାଇଛି । କିନ୍ତୁ ହାତୀବେଶ ସମୟରେ ସ୍ନାନମଣ୍ଡପରେ କୌଣସି ସେବାୟତ ରହିବେନି । ସେହିପରି ପୂର୍ବଭଳି ସ୍ନାନମଣ୍ଡପରେ ଯେପରି କୌଣସି ସେବାୟତ ମହାପ୍ରଭୁଙ୍କୁ ଆଢୁଆଳ କରିବେନି, ଏବଂ ଏଥିରୁ ଯେମିତି ଭକ୍ତମାନେ ଦର୍ଶନରୁ ବଞ୍ଚିତ ନହେବେ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ଦିବ୍ୟସ୍ନାନ ସମୟରେ ଭକ୍ତମାନେ କିଭଳି ସୁରୁଖୁରୁରେ ଦେଖିପାରିବେ ସେନେଇ ଆଲୋଚନା ହୋଇଛି । ଦୀର୍ଘ ୨ ବର୍ଷ ଧରି ମହାସ୍ନାନ ଦେଖିବାରୁନଥିବା ଭକ୍ତମାନେ ଏହି ଖବର ଶୁଣିବା ପରେ ମନରେ ଖୁସିର ଲହରି ଖେଳିଯାଇଛି ।

Leave a Reply

Your email address will not be published. Required fields are marked *