ଓଡେଶାରେ ଋଷର ମିସାଇଲ ମାଡ: ୨୧ମୃତ

କିଭ(ଦ କୁଇଭର): ୪ ମାସ ପୁରିଲାଣି ଋଷ-ୟୁକ୍ରେନ ଯୁଦ୍ଧ । ତଥାପି ଥମୁନି ଯୁଦ୍ଧ । ଓଡେଶା ର ସେରହିଭକା ସହରରେ ଘନଘନ ଆକ୍ରମଣ କରିଚାଲିଛି ଋଷ । ଓଡେଶା ଠାରୁ ଦକ୍ଷିଣ ପଶ୍ଚିମରେ ପ୍ରାୟ ୫୦ କି.ମି. ଦୂରରେ ଏହି ସହର ଅବସ୍ଥିତ । ଏଥିରେ ୨ ପିଲାଙ୍କ ସମେତ ୨୦ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୧ କୁ ଛୁଇଁଛି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟର ଉପମୁଖ୍ୟ କିରିଲ ତିମୋସେଙ୍କୋଙ୍କ ସୂଚନା ଅନୁଯାୟୀ କୃଷ୍ଣ ସାଗରରୁ ରୁଷର ଯୁଦ୍ଧବିମାନରୁ ଲଗାତାର ଭାବେ ୩ଟି ମିସାଇଲ ଆକ୍ରମଣ କରାଯାଇଥିଲା । ସେଥରୁ ଦୁଇଟି ମିସାଇଲ ଏକ ବହୁତଳ ଅଟ୍ଟାଳିକା ଉପରେ ପଡିଥିଲା ବେଳେ ନିକଟରେ ଥିବା ଏକ ରସୋର୍ଟ ଉପରେ ଅନ୍ୟ ଏକ ମିସାଇଲ ପଡିଛି । ଫଳରେ ଉକ୍ତ ଅଟ୍ଟାଳିକାର ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୨ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୬ ଜଣ ପିଲାଙ୍କ ସମେତ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ମିସାଇଲ ମାଡ଼ ବେଳେ ସେହି ଅଟ୍ଟାଳିକାରେ ପ୍ରାୟ ୧୫୦ ଜଣ ନାଗରିକ ରହୁଥିଲେ । ଅନ୍ୟମାନେ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ।

ସେହିଭଳି ନିକଟରେ ଥିବା ରିସୋର୍ଟରେ ମଧ୍ୟ ରୁଷୀ ସେନା ମିସାଇଲ ଆକ୍ରମଣ କରିଛନ୍ତି । ଏହା ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ସୋମବାର କେନ୍ଦ୍ରୀୟ ୟୁକ୍ରେନର କ୍ରେମେନଚୁକ ସହରରେ ଥିବା ଏକ ସପିଂ ମଲ ଉପରେ ରୁଷ ସୈନ୍ୟମାନେ ମିସାଇଲ ମାଡ଼ କରିଥିଲେ । ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୬୨ ଜଣ ଆହତ ହୋଇଥିଲେ । ରୁଷ ବର୍ତ୍ତମାନ ଜନବସତିକୁ ଟାର୍ଗେଟ କରି ମିସାଇଲ ଆକ୍ରମଣ କରୁଥିବା ତିମୋସେଙ୍କୋ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ରୁଷ ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ ଆକ୍ରମଣ କରୁଛି ।

ସେପଟେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ସେ ସ୍ପଷ୍ଟ କରିଦେଇଛନ୍ତି କି ୟୁକ୍ରେନ ଆତ୍ମସମର୍ପଣ ନ କରିବା ପର୍ୟ୍ୟନ୍ତ ଏଭଳି ଆକ୍ରମଣ ଜାରି ରହିବ । ରୁଷୀ ସେନା ପକ୍ଷରୁ ଗତକାଲି ରାତିରେ ୟୁକ୍ରେନର ଚର୍ନିହିବ, ଖାରକିଭ ଓ ମିକୋଲେଭ ଆଦି ସହର ଉପରେ ପ୍ରବଳ ଗୋଳାମାଡ଼ କରାଯାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି । ଯୁଦ୍ଧରେ ଋଷ ୟୁକ୍ରେନ ସୈନ୍ୟଙ୍କ ସହ ମୁକାବିଲା କରିପାରୁନଥିବାରୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଥିବା ନେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିବା ସହ ଏହାକୁ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *