ନବୀନଙ୍କ ଉତ୍ତରାଧିକାରୀ ହେବେ ସୁଜାତା !

ଭୁବନେଶ୍ୱର (ଦ କୁଇଭର): ୨୦୨୪ରେ ବିଜେଡି କ୍ଷମତାକୁ ଆସିଲେ, ସୁଜାତା ରାଉତ ମୁଖ୍ୟମନ୍ତ୍ରୀ ହେବାରେ ଅସୁବିଧା କ’ଣ? ସେ ନବୀନଙ୍କ ଉତ୍ତରାଧିକାରୀ ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ସମସ୍ୟା କେଉଁଠି? ଜଣେ ଉଚ୍ଚଶିକ୍ଷିତା, ଆଇଏଏସ ଅଧିକାରୀ ଆଉ ଓଡ଼ିଆ ଝିଅ । ଦକ୍ଷତା ବି କିଛି କମ ନାହିଁ ତେଣୁ ସେ ହିଁ ନବୀନଙ୍କର ଉପଯୁକ୍ତ ଉତ୍ତରାଧିକାରୀ । ଏକଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫେସବୁକରେ ସୁଜାତା ଆର କାର୍ତ୍ତିକେୟନ ଫ୍ୟାନ କ୍ଲବ ଗ୍ରୁପରେ ସମର୍ଥକମାନେ ସୁଜାତାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବୋଲି ଦାବି କରିଲେଣି ।

ସେହି ଗ୍ରୁପରେ ଜଣେ ସଦସ୍ୟ ଲେଖିଛନ୍ତି ଯେ, ନବୀନଙ୍କ ଉତ୍ତରାଧିକାରୀ ପାଇଁ ସୁଜାତା ହିଁ ଯୋଗ୍ୟ । ସେ କେନ୍ଦ୍ରାପଡ଼ାର ଝିଅ, ଉଚ୍ଚଶିକ୍ଷିତ ହୋଇ ଆଇଏଏସ ପାଇଛନ୍ତି । ୨୦୧୩-୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା । ନିର୍ବାଚନ ପରେ ବିଦେଶ ଯାଇ ଚିକିତ୍ସା ହେବାକୁ ନବୀନଙ୍କ ହିତୈଷୀମାନେ ପରାମର୍ଶ ଦେଇଥିଲେ । କିନ୍ତୁ ସୁଜାତା ଓ ତାଙ୍କ ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ତାଙ୍କର ନବୀନ ନିବାସରେ ଅନେକ ସେବା କରିଥିଲେ । ଉଭୟଙ୍କ ଉଦ୍ୟମ ଫଳରେ ସେ ଆଜି ସୁସ୍ଥ ଅଛନ୍ତି । ତେଣୁ ନବୀନ ବାବୁ ଭଲଭାବେ ଉପଲବ୍ଧୀ କରିଛନ୍ତି ସୁଜାତା ତାଙ୍କର ଉତ୍ତରାଧିକାରୀ ହେବାକୁ ଯୋଗ୍ୟ । ନବୀନ ବାବୁ ଚିର କୁମାର । ତାଙ୍କର କେହି ନିଜର ଉତ୍ତରାଧିକାରୀ ନାହାନ୍ତି । ତେଣୁ ସୁଜାତା ହିଁ ଉପଯୁକ୍ତ ଉତ୍ତରାଧିକାରୀ । ଏହାବ୍ୟତୀତ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ସେମାନଙ୍କୁ ବିଜେଡିର ଭୋଟ ବ୍ୟାଙ୍କ କରିବାରେ ସୁଜାତାଙ୍କର ବେଶ ଯୋଗଦାନ ରହିଥିବା ସେ ଉଲ୍ଲେଖ କରିଛନ୍ତି ।

ସୋସିଆଲ ମିଡିଆରେ ଏପରି ପୋଷ୍ଟରୁ ଅନେକ ପ୍ରଶ୍ନ ଆସୁଛି । ଆମେ ଏହା କହୁନାହୁଁ ଯେ, ସୁଜାତା ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ନୁହନ୍ତି? କି ସେ ଯଦି ଲୋକଙ୍କ ସମର୍ଥନ ପାଇବେ ମୁଖ୍ୟମନ୍ତ୍ରୀ ନହୁଅନ୍ତୁ? ହେଲେ ସୋସିଆଲ ମିଡିଆର ଏହି ପୋଷ୍ଟ ସେପରି ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ଗାରିମାକୁ ସୁରକ୍ଷିତ ରଖୁଛି ତ? ଆମେ ଏଥିପାଇଁ ଏହି ପ୍ରସଙ୍ଗ ଉଠାଉଛୁ, ଗଣତନ୍ତ୍ରରେ କ’ଣ ଉତ୍ତରାଧିକାରୀ ଚୟନ କରାଯାଏ କି? ଜଣେ ମୁଖ୍ୟମନ୍ତ୍ରୀଙ୍କ ପରେ ଗଣତନ୍ତ୍ରରେ ଲୋକେ କାହାକୁ ବାଛିବେ ତାହା ସେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିବେ କି? ନା ଓଡ଼ିଶାରେ ରାଜତନ୍ତ୍ର ଚାଲିଛି ଓ ୨୨ବର୍ଷ ଧରି ଶାସନ କରୁଥିବା ନବୀନ ଓଡ଼ିଶାର ରାଜା? ଆଉ ଗୋଟିଏ କଥା ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ କରାଯାଇଥିବା ମହିଳା ମାନେ ବିଜଡିର ଭୋଟ ବ୍ୟାଙ୍କ ବୋଲି କିପରି କୁହାଯାଇ ପାରିବ? ଏହି ଯୋଜନା ସରକାରଙ୍କର । ସରକାରଙ୍କ ଯୋଜନାର ହିତାଧିକାରୀ ନିର୍ଦ୍ଧିଷ୍ଟ ଦଳର ଭୋଟବ୍ୟାଙ୍କ ବୋଲି କହିବା କେତେଦୂର ଗ୍ରହଣୀୟ?

Leave a Reply

Your email address will not be published. Required fields are marked *